ଗଞ୍ଜାମ: ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା ୧୫ରୁ ଅଧିକ ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ଗତକାଲି ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଆସିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ସବୁ ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା ।
ଦୋକାନରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ଦୋକାନରେ ପୂଜା ପାଇଁ ଲାଗିଥିବା ଦୀପ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।