Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଲାଞ୍ଜିଗଡ ପ୍ରେସ କ୍ଳବ କର୍ମକର୍ତ୍ତା

କଳାହାଣ୍ଡି, ୨୧/୧୦-ଭବାନୀପାଟଣାରୁ ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା, ବିଶେଷ କରି ଛତିକୁଡାରୁ ଶାନ୍ତପୁର ଓ ଶାନ୍ତପୁରରୁ କିଡିଙ୍ଗ ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ହେଲା ନିର୍ମାଣ ଚାଲିଛି, ସରିପାରୁନି, ଶାନ୍ତପୁରରୁ କିଡିଙ୍ଗ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାବେଳେ ରାସ୍ତାରେ ଧୂଳି ଉଡି ଦିନ ତମାମ କୁହୁଡିର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ବାଇକ ଆରୋହୀ, ସାଇକେଲ ଆରୋହୀ ଓ ପଥଚାରୀମାନେ ଅନେକ ହଇରାଣ ହେଉଥିବାବେଳେ ଆଲର୍ଜି, ଶ୍ୱାସ, କାଶ, ଟିବି, ଫୁସଫୁସ ସଂକ୍ରମଣ ଭଳି ରୋଗରେ ପଡୁଛନ୍ତି। ସେହିପରି ରାସ୍ତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଆଶଙ୍କା ଶତ ପ୍ରତିଶତ ବଢିଯାଇଛି। ଏପରିକି ଭୁଲ ରାସ୍ତା ଡିଜାଇନିଂ ଯୋଗୁଁ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ବୁଲାଣିରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। କାଉଗୁଡା- ସିକେରକୁପା ପୋଲ, ସିକେରକୁପା ସାନ୍ଦୁଲ ନଦୀ ପୋଲ, ଢେପଗୁଡ଼ା ଭିତରେ ଥିବା ଏକ ସଂକୀର୍ଣ୍ଣ ପୋଲ ପ୍ରତି ମୁହୂର୍ତ୍ତରେ ବିପଦକୁ ଆମନ୍ତ୍ରଣ କରୁଛି। ତେବେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏସବୁ ପ୍ରତି ଆଦୌ ଦୃଷ୍ଟିପାତ କରୁନାହିଁ। ସିକେରକୁପା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ କାମ ନିମ୍ନମାନର ହେଉଥିବାବେଳେ ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା ସାଜିଛି। ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ଠିକାଦାରମାନଙ୍କ ହାତବାରିସୀ ଭାବେ କାମ କରୁଛନ୍ତି। ଶାନ୍ତପୁରରୁ ପୋଖରୀବନ୍ଧ ପର୍ଯ୍ୟନ୍ତ ରାସ୍ତା ସାରା ହଜାର ହଜାର ସଂଖ୍ୟାରେ ଖାଲଖମା ଭର୍ତ୍ତି ହୋଇଥିବାବେଳେ ଏଥିରେ ନାମକୁ ମାତ୍ର କ୍ରସରଗୁଣ୍ଡ ପକାଇ ଦାୟିତ୍ୱ ସାରିଦେଉଛି ପୂର୍ତ୍ତ ବିଭାଗ। ଭବାନୀପାଟଣାରୁ ପୋଖରୀବନ୍ଧ ଏବଂ ରାୟଗଡ଼ା ପର୍ଯ୍ୟନ୍ତ ଚାରି କିମ୍ବା ଛଅ ଲେନ ରାସ୍ତା କରିବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଛି। ଏହାକୁ ନେଇ ଓଡିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବ ପକ୍ଷରୁ ଦାବି ଉପସ୍ଥାପନ କରିବା ସହିତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏଗାର ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଅନୁସାରେ, ଭବାନୀପାଟଣାରୁ ଛତିକୁଡା ସହିତ ଛତିକୁଡ଼ାରୁ ଶାନ୍ତପୁର, ଶାନ୍ତପୁରରୁ କିଡିଙ୍ଗ ଛକ ପର୍ଯ୍ୟନ୍ତ ଶୀଘ୍ର ରାସ୍ତା ନିର୍ମାଣ କାମ ସାରିବା, ସିକେରକୁପା, ଢେପଗୁଡ଼ା ଘାଟି ଓ ପୋଖରୀବନ୍ଧ ପର୍ଯ୍ୟନ୍ତ ରାସ୍ତା ମରାମତି କରିବା, ସଂକୀର୍ଣ୍ଣ ଓ ବିପଦସଂକୁଳ ପୋଲଗୁଡିକ ବଦଳରେ ନୂତନ ପୋଲ ନିର୍ମାଣ କରିବା, ନିର୍ମାଣାଧୀନ ସିକେରକୁପା ପୋଲର ନିମ୍ନମାନର ନିର୍ମାଣ କାର୍ଯ୍ୟର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବେହେରାପୋଲ ସମେତ ଅନ୍ୟ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ବ୍ଲାକ ସ୍ପଟ ଘୋଷଣା କରିବା, ଭବାନୀପାଟଣାରୁ ପୋଖରୀବନ୍ଧ ପର୍ଯ୍ୟନ୍ତ ଚାରି କିମ୍ବା ଛଅ ଲେନ ରାସ୍ତା ପାଇଁ ପ୍ରକ୍ରିୟା ଆରମ୍ଭ କରିବା, ଆବଶ୍ୟକସ୍ଥଳେ ଛତିକୁଡାରୁ ପୋଖରୀବନ୍ଧ ପର୍ଯ୍ୟନ୍ତ ରାସ୍ତାକୁ କୌଣସି ଦାୟିତ୍ୱବାନ ସଂସ୍ଥାକୁ ହସ୍ତାନ୍ତର କରି ଉନ୍ନତିକରଣ କରିବା ସହିତ ଟୋଲଗେଟ ସ୍ଥାପନ କରିବା, ସିକେରକୁପାରୁ କଦମ୍ବଗୁଡା, ଗୋବର୍ଧନପୁର, ନର୍ଲା ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା, ଛତିକୁଡାରୁ ଶାନ୍ତପୁର, ଖାଇଙ୍ଗ, ରାମଚନ୍ଦ୍ରପୁର, ଗୋପାଳପୁର-ଗୋବର୍ଧନପୁର ରାସ୍ତାକୁ ପୂର୍ତ୍ତ ବିଭାଗରେ ସାମିଲ କରିବା, ଯଦ୍ୱାରା ଭୁର୍ଟିଗଡ଼ ଦେଇ କନ୍ଧମାଳ ଜିଲ୍ଲାକୁ ସିଧାସଳଖ ରାସ୍ତା ସଂଯୋଗ ସୁବିଧା, ପୋଖରୀବନ୍ଧରୁ ବିଶ୍ୱନାଥପୁର-ଲାଞ୍ଜିଗଡ ରାସ୍ତା ନିର୍ମାଣରେ ଗୁଣବତ୍ତା ରକ୍ଷା କରିବା, ଲାଞ୍ଜିଗଡ଼ରୁ ବିଜେପୁର ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। ଆଜି ବିଶ୍ୱନାଥପୁରଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ନାୟକ, ସଦସ୍ୟ ଦିଲୀପ ନାଏକ, ପ୍ରଭୁ ରଂଜନ ସାମଲ, ଦେବାଶିଷ ରଂଜନ ବିଶି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories