Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି, କଳା ଉତ୍ସବ-୨୦୨୪ ଉଦଯାପିତ

କଳାହାଣ୍ଡି, ୦୨/୧୧-ବଣ ମଲ୍ଲୀ ବଣରେ ଫୁଟି ଆଉ ଝାଉଁଳି ଯାଉନି। ତାର ସୁରଭି ବିତରଣ କରି ଏବେ ଜନମନ ମୋହିବାରେ ଲାଗିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ସମଗ୍ର ଶିକ୍ଷା ପକ୍ଷରୁ ଏକ ମହତପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଏକ ମଞ୍ଚ ପ୍ରଦାନ ସହିତ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ବର୍ଷକୁ ଥରେ ଆୟୋଜିତ ହେଉଛି ସୁରଭି କାର୍ଯ୍ୟକ୍ରମ। ଚଳିତ ବର୍ଷ ସୁରଭି କାର୍ଯ୍ୟକ୍ରମରେ ଲୋକକଳାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିବାବେଳେ ଏହାକୁ ନେଇ ପ୍ରତିଭାଗୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଏସବୁର ଝଲକ ଆଜି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ସୁରଭି ଓ ଲୋକକଳା ଉତ୍ସବ ନିଶ୍ଚିତ ଭାବେ ଏକ ସୁଯୋଗ ପ୍ରଦାନ କରିଥାଏ ବୋଲି ଆଜି ଲାଞ୍ଜିଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଲୋକକଳା ଉତ୍ସବ-୨୦୨୪ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଭାରତଭୂଷଣ ସାହୁ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ କ୍ଳଷ୍ଟର ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ହରିଶଙ୍କର ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟ ଅତିଥିମାନେ ମଂଚାସୀନ ଥିଲେ। ସଭା କାର୍ଯ୍ୟକ୍ରମକୁ ଶ୍ରୀ ଭୋଇ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଲଳିତ କୁମାର ଭୋଇ ପରିଚାଳନା କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବ୍ଲକର ୧୩ଗୋଟି କ୍ଳଷ୍ଟର ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟାରେ ଅଭିଭାବକ ମାନେ ଉପସ୍ଥିତ ଥିଲେ।