ଜୟପୁର: ମନ୍ଦିର ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଚମ୍ପଟ ମାରୁଥିବା ବେଳେ ଲୁଟେରାଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ । ଏହାପରେ ଏକ ଖଣ୍ଟିରେ ଲୁଟେରାଙ୍କୁ ବାନ୍ଧି ପୋଲିସକୁ ଦେଲେ ଖବର । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରର ଇରିଗେଶନ କଲୋନୀରେ । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ମହିଳା ଜଣଙ୍କ ଚାଲିଚାଲି ମନ୍ଦିରକୁ ଯାଉଥିଲେ । ଏହି ସମୟରେ ୪ରୁ ୫ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ପରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ମହିଳା ଜଣଙ୍କ ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ । ପରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।