ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳୀ ସମବାୟ ସେବା ସମିତିର ସଭାପତି ଚିତ୍ତରଞ୍ଜନ ରାଉତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତ ରାତିରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ହାଣି ଦେଇଥିଲେ । ଚିତ୍ତରଞ୍ଜନ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରୁ ସେ ଏକୁଟିଆ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନଥିଲେ ।
ପରିବାର ଲୋକେ ସକାଳେ ଖୋଜା ଖୋଜି କରି ଘରଠାରୁ କିଛି ଦୂରରେ ଥିବା ଏକ ନାଳ ନିକଟରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛନ୍ତି । ମୁଣ୍ଡର ପଛ ପଟେ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି ।
ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚିତ୍ତରଞ୍ଜନଙ୍କୁ କିଛି ଲୋକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏପରି ଏକ ହତ୍ୟାକାଣ୍ଡ ପଛର କାରଣ କ’ଣ ଓ କିଏ ଏହି ଷଡଯନ୍ତ୍ର ରଚିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପରିବାର ଲୋକେ ଏନେଇ କିଛି କହି ପାରୁ ନାହାନ୍ତି । ଚିତ୍ତରଞ୍ଜନଙ୍କର କାହା ସହ କିଛି ଶତ୍ରୁତା ନଥିବାରୁ ସେମାନେ କାହାକୁ ସନ୍ଦେହ କରି ପାରୁନାହାନ୍ତି ।