ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର


ଭଦ୍ରକ: କେନ୍ଦୁଆପଦା ରେଲ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସାବରଙ୍ଗ ଥାନା ଅଧୀନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଲଲାଟେନ୍ଦୁ ବାରିକ ୟୁନିୟନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ଗତକାଲି ସନ୍ଧ୍ୟାରେ ସେ ବ୍ୟାଙ୍କରୁ ବାହାରିଥିଲେ, ମାତ୍ର ଘରେ ପହଞ୍ଚି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ରେଳ ଧାରଣା ନିକଟରୁ ତାଙ୍କ ସ୍କୁଟି ଠାବ କରିଥିଲେ । ଏହାପରେ ଟ୍ରାକ୍‌ରେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଲଲାଟେନ୍ଦୁ ଅବିବାହିତ ଥିବା ବେଳେ ସେ ୟୁନିୟନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ମାତ୍ର ଦୁଇ ଦିନ ତଳେ ସେ ବ୍ୟାଙ୍କରୁ ଇସ୍ତଫା ଦେଇଥିବା ପରିବାର ଲୋକେ କହିଥିଲେ । ଏହା ପଛର କାରଣ କ’ଣ ସେମାନେ ତାହା ସ୍ପଷ୍ଟ ଭାବେ କହି ପାରୁ ନାହାନ୍ତି । ତେବେ ଏବେ ପୁଅର ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଛି ।