କୋରାପୁଟ: ଲକ୍ଷ୍ମୀପୁର ରେଳ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକରୁ ଦମ୍ପତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।
ଲକ୍ଷ୍ମୀପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ମୃତକଦ୍ୱୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ବୋଲି ସୂଚନା ମିଳିଛି । ମୃତ ପତିପତ୍ନୀ ବୁରୁସ୍ ଖୁରା (୫୮) ଏବଂ ସ୍ତ୍ରୀ ଯମୁନା ଖୁରା (୫୪) ବୋଲି ଜଣାପଡ଼ିଛି । ଉଭୟଙ୍କର ୨ଟି ପୁଅ ଗୋଟିଏ ଝିଅ ରହିଛନ୍ତି ।
ତେବେ କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ବେଳେ ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହରୁ ଉଭୟ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।