Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ୭୧ ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୪ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜାରାଣୀ ଫଙ୍କସନ ହଲ ଠାରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଉପନିବନ୍ଧକ ସମବାୟ ସମିତି ସମୂହ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ୭୧ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୪ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚଳିତ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ସମାବେଶ ସଭା କାର୍ଯ୍ୟକ୍ରମରେ ଉପ-ସହ ନିବନ୍ଧକ ଶ୍ରୀ ନୃସିଂହ ଚରଣ ବେହେରା ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଯୋଗଦେଇ ଜିଲ୍ଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।କୃଷି ଉତ୍ପାଦନକୁ ସମବାୟ ମାଧ୍ୟମରେ ପରିଚାଳିତ କରାଯାଉଛି । ତେଣୁ ଚାଷୀ ମାନଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ହେବାକୁ ହେଲେ ସେମାନେ ସମବାୟ ମାଧ୍ୟମରେ ଯିବାକୁ ହେବ ବୋଲି କହିଥିଲେ ।ସେହିଭଳି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନେ ଯେଉଁ ଧାନ ଉତ୍ପାଦନ କରୁଛନ୍ତି , ସେ ସବୁ ଉତ୍ପାଦିତ ଧାନକୁ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଦେଇ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା ପାଆନ୍ତୁ । ଅଯଥାରେ ପଡୋଶୀ ଆନ୍ଧ୍ରର ଦଲାଲଙ୍କୁ କମ ଦରରେ ବିକ୍ରି ନ କରି ଜିଲ୍ଲାରେ ଖୋଲା ଯାଇଥିବା ମଣ୍ଡିରେ ଧାନ ଦେବାକୁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।ସେହିଭଳି ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ଅଧ୍ୟୁଷିତ ପାହାଡିଆ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ ଗଞ୍ଜେଇ ଚାଷରୁ ନିବୃତ୍ତ ରହି ଅର୍ଥକାରୀ ଫସଲ କରି ଜୀବନ ଜୀବିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ନାବାର୍ଡ ଡିଡିଏମ: ଶ୍ରୀ ପ୍ରତୀକ କୁମାର ପଣ୍ଡା , ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାମ ପ୍ରସାଦ ପାତ୍ର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲା ରାଜୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ୫ ଜଣ ସମବାୟ ବିତ୍ତ ଙ୍କୁ ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ , ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା ।ସଭା , ସମ୍ଭର୍ଦ୍ଧନା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ ରମାକାନ୍ତ ପଟ୍ଟନାୟକ ଏବଂ ଶ୍ରୀମତୀ ରଶ୍ମିତା ସାମଲ ସଂଯୋଜନା କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶ୍ରୀ ଦୁର୍ଗା ପ୍ରସାଦ ଡୋରା ।ଶେଷରେ ସ୍ଥାନୀୟ ମିରାକଲ ଡେନ୍ସ ଷ୍ଟୁଡିଓ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ , ସମବାୟ ସମିତିର ସଭାପତି , ସମ୍ପାଦକ , ବିଭିନ୍ନ ବିଭାଗୀୟ ଅଧିକାରୀ ଓ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ