କୋରାପୁଟ: ମାଛକୁଣ୍ଡ ଷ୍ଟେସନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା । ଏଥିଯୋଗୁଁ ମାଲବାହୀ ଟ୍ରେନ୍ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଅପରାହ୍ନରେ ମାଛକୁଣ୍ଡ ଷ୍ଟେସନ ପୂର୍ବରୁ ବିଭିଏଫ୍ ୬୦/ ଜି୯ ନାମକ ମାଲଗାଡ଼ି ଟ୍ରେନର ଏକାଧିକ ବଗିର ତଳଭାଗରେ ନିଆଁ ଲାଗି ଯାଇଥିଲା । ଫଳରେ ମାଛକୁଣ୍ଡ ଷ୍ଟେସନରେ ଟ୍ରେନଟିକୁ ଅଟକ ରଖି ଡ୍ରାଇଭର ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ।
ଷ୍ଟେସନ କର୍ତ୍ତୃପକ୍ଷ ନନ୍ଦପୁର ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହାପରେ କ୍ଷତିଗ୍ରସ୍ତ ହୋଇଥିବା ବଗିଗୁଡ଼ିକୁ ବାହର କରାଯିବା ପରେ ରାତି ପ୍ରାୟ ୧୦ଟା ପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି ।
ରେଳ ବିଭାଗର ସୂଚନା ମୁତାବକ ମାଲଗାଡ଼ିଟି ଗତକାଲି ବଚେଲି ଷ୍ଟେସନରୁ ଲୁହାପଥର ଧରି ବିଶାଖାପାଟଣା ଅଭିମୁଖେ ଯାଉଥିଲା । କୋରାପୁଟ ଷ୍ଟେସନ ପାର ହେବା ପରେ ଘର୍ଷଣ ଯୋଗୁଁ (ହଟ୍ ଏକ୍ସେଲ) ମାଲଗାଡିର ଏକାଧିକ ବଗିର ତଳ ଭାଗରେ ନିଆଁ ଲାଗି ଯାଇଥିଲା । ମୁଖ୍ୟ ଲାଇନ୍ ଖୋଲା ଥିବାରୁ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇ ନଥିବା ରେଳ ବିଭାଗ ତରଫରୁ ସୂଚନା ମିଳିଛି ।