ବରଗଡ଼: ରାତିରେ ଘର ଉପରେ ମାଡ଼ିଗଲା କଣ୍ଟେନର । ଦୁର୍ଘଟଣାରେ ଘରେ ଥିବା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅବୋହୂ ଗୁରୁତର ଆହତ ହୋଇଛନ୍ତି । ଘଟଣା ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଘଟିଛି । ମୃତ ବୃଦ୍ଧା ହେଲେ ଅମ୍ବିକା ତାଣ୍ଡି । ଆହତ ଦ୍ୱୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ କଣ୍ଟେନରଟି ରାୟପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଅମ୍ବିକାଙ୍କ ଘର ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ଆଜବେଷ୍ଟ ଘରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୋହେଲା-ଛତିଶଗଡ଼ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ । ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।