ଭଦ୍ରକ: ମହିଳା ବ୍ରାଉନସୁଗାର ମାଫିଆଙ୍କ ଘରେ ଚଢ଼ାଉ । ମୁଢ଼ି, ମିକ୍ସଚର ଓ ଚାଉଳ ଡବାରୁ ବିଡ଼ା ବିଡ଼ା ଟଙ୍କା ଜବତ । ଘଟଣା ଖଟିଛି ଭଦ୍ରକରେ । ଚଢ଼ାଉ ବେଳେ ଏତେ ଟଙ୍କା ବାହାରି ଥିଲା ଯେ, ପୋଲିସ ବି ଆକାବାକା ହୋଇଯାଇଥିଲା । ଏପରିକି ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ଓ ଏବେ ମଧ୍ୟ ଚଢ଼ଉ ଜାରି ରହିଛି । ଘଟଣାରେ ଭଦ୍ରକ ପୋଲିସ୍ ମହିଳା ବ୍ରାଉନ୍ସୁଗର ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଭଦ୍ରକ୍ ଟାଉନ ଥାନା ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍ସୁଗର ଚୋରା କାରବାର ହେଉଥିଲା । ହେଲେ ପ୍ରମାଣ ଅଭାବରୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନଥିଲା । ଆଜି ବ୍ରାଉନ୍ସୁଗର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ୍ ଖବର ପାଇଥିଲା । ପରେ ମାଜିଷ୍ଟ୍ରେଟ୍ ତଥା ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ମହିଳା ବ୍ରାଉନ୍ସୁଗର ମାଫିଆଙ୍କ ଘରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ତାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି ପୋଲିସ ।
ମହିଳା ବ୍ରାଉନ୍ସୁଗର ମାଫିଆ ଜଣକ ଭାରି ଚାଲାକ୍ । ଧରା ପଡ଼ିଯିବା ଭୟରେ ସେ ମୁଢ଼ି ଡବା, ମିକ୍ସଚର ଡବା, ଚାଉଳ ଡବା, ତକିଆ ଖୋଳ, ସପ ଭିତରେ, ରେଜେଇ, ଖଟ ତଳେ ଆଦି ସ୍ଥାନରେ ଟଙ୍କା ଲୁଚାଇ ରଖିଥିଲେ । ପୋଲିସ୍ ଟିମ୍ ତାଙ୍କ ଘରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ପୁଳା ପୁଳା ଟଙ୍କା ପାଇଥିଲା ପୋଲିସ । ଆଉ ଏତେ ଟଙ୍କା ମିଳିଥିଲା ଯେ ପୋଲିସ ହାତରେ ଗଣି ପାରି ନଥିଲା । ତେଣୁ ମେସିନ୍ ସାହାଯ୍ୟରେ ଟଙ୍କା ଗଣୁଛି । ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି । ଏବେ ମଧ୍ୟ ଚଢ଼ଉ ଜାରି ରହିଛି । ଆହୁରି ଟଙ୍କା ମିଳିବ ବୋଲି ପୋଲିସ୍ ଅନୁମାନ କରୁଛି ।
ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଭଦ୍ରକ ଏସ୍ପି ମଡକର ସନ୍ଦୀପ ସମ୍ପଦ ସାମିଲ, ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା, ଡିଆଇବି ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୁରୁଣା ବଜାର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ତେବେ ମହିଳା ଜଣକ କେଉଁଠାରୁ ବ୍ରାଉନ୍ସୁଗର ଆଣି ବେପାର କରୁଥିଲେ, ତାହା ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।