ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଗର୍ଭବତୀ ମହିଳାଙ୍କ ବେକରୁ ସୁନା ସେଚ ଲୁଟି ଗୁଳି ମାଡ଼ ଘଟଣା । ଶବ ସତ୍କାରକୁ ନେଇ ମହିଳାଙ୍କ ଶାଶୁଘର ଓ ଗାଁ ଓ ବାପଘର ଲୋକଙ୍କ ମଧ୍ୟରେ ଟଣା ଓଟରା । ମୃତ ମହିଳା ସାମ୍ୟମୟୀଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ ତାଙ୍କ ସ୍ଵାମୀ ଦେବେନ, ଶାଶୂ ଓ ମାଉସୀ ଶାଶୂଙ୍କୁ ଗତକାଲିଠାରୁ ଅଟକ ରଖି ପଚରାଉଚରା କରୁଛି । ଆଜି ସତ୍କାର ପୂର୍ବରୁ ସ୍ଵାମୀ ଦେବେନଙ୍କ ସମ୍ପର୍କୀୟ ଶବ ଅଟକ ରଖି ଦାବି କରିଛନ୍ତି ଯେ, ଦେବେନ ନ ଆସିଲେ ଶବ ସତ୍କାର ହେବ ନାହିଁ । ତାଙ୍କ ନାଁରେ ଥିବା ଅଭିଯୋଗ ହଟିଲେ ହିଁ ଶବ ସତ୍କାର ହେବ । ସେପଟେ ମହିଳାଙ୍କ ପରିବାର କହୁଛନ୍ତି, ଏଠାରେ ଶବ ସତ୍କାର କରାଇ ନଦେଲେ ବାପ ଘର ଛେଣ୍ଡିପଦାରେ କରାଯିବ । ଏମିତି ଟଣାଓଟରା ମଧ୍ୟରେ ଘଟଣାକୁ ଅନୁଧ୍ୟାନ କରୁଛି ଟିକାୟତପାଲି ପୋଲିସ ।
ଅଭିଯୋଗ ଅନୁଯାୟୀ, ୧୧ ତାରିଖ ରାତି ପ୍ରାୟ ୧୨ଟା ୫୦ରେ କେହି ସାମ୍ୟମୟୀଙ୍କ ଘରର କବାଟ ବାଡ଼େଇ ଥିଲେ । ଏହା ଶୁଣି ସୀମା କବାଟ ଖୋଲି ଥିଲେ । ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ । ସୀମା ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା । ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।