ଭଦ୍ରକ: ରାସ୍ତା ଉପରେ ମାତାଲ ଯୁବକଙ୍କ ଉନ୍ମତକାଣ୍ଡ । ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ଗତ ରାତିରେ ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟରେ ଘଟିଛି ଘଟଣା । ଘଟଣା ପରେ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
ଗତକାଲି ରାତି ପ୍ରାୟ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍ ଭଦ୍ରକର ନୂଆ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ । ସେଠାରେ ଡ୍ରାଇଭର ଟ୍ରକ୍ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ ।
ହଠାତ ୩ ଜଣ ନିଶାସକ୍ତ ଯୁବକ ପହଞ୍ଚି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ଟ୍ରକ୍ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ । ଏହାପରେ ଭୟଭୀତ ହୋଇ ଡ୍ରାଇଭର ଜଣକ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି. ବାସୁଙ୍କୁ ଫୋନ କରିଥିଲେ ।
ବାସୁ ନିଜର ଜଣେ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ନିଶାସକ୍ତ ୩ ଯୁବକ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ ।
ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଛୋଟ ଗାଡ଼ି ଡ୍ରାଇଭର, ଅଟୋ ମାଲିକ ଓ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଥିଲେ । ଉପାୟ ନ ପାଇ ସେମାନେ ସେଠାରୁ ଏକ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସିଥିଲେ । ଏହି ସମୟ ମଧ୍ୟରେ ବି ନିଶାସକ୍ତ ଯୁବକମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ ।
ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଶାସକ୍ତ ଯୁବକମାନେ ନିଜ ଗାଡ଼ି ସହ ଟ୍ରାନ୍ସପୋର୍ଟ ମାଲିକଙ୍କ ବାଇକକୁ ନେଇ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥା ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।