ଗଜପତି: ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ । ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମ୍ମା ଗାଁର ଗଣେଶ ବେହେରା । ଗଣେଶ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ।
ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ । ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ । ହେଲେ ଗଣେଶ କବାଟ ଖୋଲି ନଥିଲେ । ଏନେଇ ସହଯୋଗୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ତାଡ଼ି ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ ।
ଗଣେଶ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ଯଦି ଗଣେଶ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାର ତଦନ୍ତ କରୁଛି । ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ।