Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ବ୍ଲକ : ୨୬ ପଞ୍ଚାୟତକୁ ୪ କନିଷ୍ଠ ଯନ୍ତ୍ରୀ, ଉନ୍ନୟନ କାର୍ଯ୍ୟ ଠପ : ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

କଳାହାଣ୍ଡି, ୧୨/୦୨-କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ଏବେ ନିଯୁକ୍ତ ଅଛନ୍ତି ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ। ଯାହାଫଳରେ ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ଉନ୍ନୟନ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି। ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପାଞ୍ଚରୁ ଛଅଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିବାବେଳେ ବ୍ଲକର ଦୁର୍ଗମ ଅଞ୍ଚଳଗୁଡ଼ିକୁ ଗସ୍ତ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ମୁସ୍କିଲ ହୋଇପଡିଛି। ଏହାକୁ ନେଇ ବ୍ଲକରେ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଆଜି ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଜନ ପ୍ରତିନିଧି କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଖାଲି ପଦବୀ ପୂରଣ ପାଇଁ ଦାବି କରିଛନ୍ତି। ସୂଚନା ଅନୁସାରେ, ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ୧୦ ଜଣ କନିଷ୍ଠ ଯନ୍ତ୍ରୀ ରହିବା କଥା କିନ୍ତୁ ତା’ ବଦଳରେ ମାତ୍ର ୭ ଜଣ କନିଷ୍ଠ ଯନ୍ତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ସ୍ୱାଇଁଙ୍କୁ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଦୁର୍ଯ୍ୟୋଧନ ଭୋଇଙ୍କୁ ମ. ରାମପୁର ବ୍ଲକକୁ ଡେପୁଟେସନ କରାଯାଇଛି। ସେହିପରି ଜଣେ କନିଷ୍ଠ ଯନ୍ତ୍ରୀ ବିଦ୍ୟାଧର ଟୁଡୁଙ୍କୁ ଭବାନୀପାଟଣା ବ୍ଲକକୁ ବଦଳି କରାଯାଇଥିଲେ ହେଁ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଅପରପକ୍ଷରେ, ଲାଞ୍ଜିଗଡ ବ୍ଲକ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମଙ୍କୁ ଡେପୁଟେସନରେ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ପଠାଯାଇଛି। ତାଙ୍କ ସ୍ଥାନରେ ଜୟପାଟଣା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ କୁମାର ନାୟକଙ୍କୁ ଲାଞ୍ଜିଗଡ଼ ବ୍ଲକ ଦାୟିତ୍ୱ ଦିଆଯାଇଥିବାବେଳେ ଏବେ ତାଙ୍କୁ ମଧ୍ୟ ନୂଆପଡ଼ା ଜିଲ୍ଲା ପରିଷଦକୁ ବଦଳି ହୋଇଥିବା ନିର୍ଦ୍ଦେଶ ଜାରି ହୋଇଛି। ଏପରିସ୍ଥଳେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ସମସ୍ତ ଉନ୍ନୟନ ପ୍ରକଳ୍ପ ସମେତ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଆଦି ଏକପ୍ରକାର ଠପ ହୋଇଯାଇଛି। ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ମାତ୍ରାଧିକ ଦାୟିତ୍ୱ ଓ କାର୍ଯ୍ୟଭାର ଯୋଗୁଁ ବ୍ଲକର ବିକାଶମୂଳକ କାର୍ଯ୍ୟଗୁଡିକ ଆଗେଇ ପାରୁନାହିଁ। ଏହାକୁ ନେଇ ଆଜି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବରଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟାମାନେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାସହିତ ବ୍ଲକରେ ଖାଲି ପଡ଼ିଥିବା କନିଷ୍ଠ ଯନ୍ତ୍ରୀ ପଦବୀ ପୂରଣ ଓ ସ୍ଥାୟୀ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଁ ଦାବି କରିଥିଲେ। ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ