ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’ ସମସ୍ତ ପ୍ରକାରର ବିରୋଧ ସତ୍ତ୍ଵେ ସିନେମାଘରେ ରିଲିଜ୍ ହୋଇ ସାରିଛି। ଫିଲ୍ମକୁ ଦର୍ଶକଙ୍କ ସରକାତ୍ମକ ପ୍ରତିକ୍ରିୟା ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟ ଫିଲ୍ମକୁ ସମର୍ଥନ ମିଳିଛି। ସେ କର୍ଣ୍ଣାଟକର ବଲ୍ଲାରୀରେ ଜନସଭାକୁ ସମ୍ବୋଧିତ କରି ଫିଲ୍ମକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ସଂପ୍ରତି ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଚର୍ଚ୍ଚାରେ ରହିଛି। ଫିଲ୍ମ ଜରିଆରେ ଆତଙ୍କୀ ଷଡଯନ୍ତ୍ରର ଖୁଲାସା କରାଯାଇଛି। ମାତ୍ର କଂଗ୍ରେସ ଫିଲ୍ମ ଉପରେ କଟକଣା ଲଗାଇବାକୁ ଚାହୁଁଥିଲା। ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି, କଂଗ୍ରେସ ଆତଙ୍କୀ ପ୍ରବୃତିରେ ରାଜନୈତିକ ସାଲିସ୍ କରିବାକୁ ଚାହୁଁଛି। ନରେନ୍ଦ୍ର ମୋଦୀଙ୍କ ଏହି ଭାଷଣର ଭିଡ଼ିଓକୁ ପ୍ରକାଶ ରାଜ ଟୁଇଟ୍ କରି କଟାକ୍ଷ କରିଛନ୍ତି। ଅଭିନେତା ପ୍ରଧାନମନ୍ତ୍ରୀଙ୍କୁ ପବ୍ଲିସିଟି ମିନିଷ୍ଟର କହିଛନ୍ତି।
ಸಿನೆಮಾ ಪ್ರಚಾರಕ್ಕೂ ಇಳಿದ ಪ್ರಚಾರಮಂತ್ರಿ ..#justasking https://t.co/00q112hehx
— Prakash Raj (@prakashraaj) May 5, 2023
ପ୍ରକାଶ ରାଜ ଭିଡିଓ ସେୟାର କରି ଟୁଇଟରେ ଲେଖିଛନ୍ତି ଯେ, ଫିଲ୍ମ ପ୍ରମୋସନରେ ବି ଓହ୍ଲାଇଲେ ପ୍ରଚାର ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ତ ପ୍ରଚାର ମନ୍ତ୍ରୀ ହୋଇଗଲେ। ପ୍ରକାଶ ରାଜଙ୍କ ଏହି ଟୁଇଟ୍ ଉପରେ ଅନେକ ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି। ଅଭିନେତାଙ୍କୁ କଡ଼ା ଶବ୍ଦରେ ନିନ୍ଦା କରି ଦେଶ ପ୍ରତି ତାଙ୍କର ଯୋଗଦାନ ବିଷୟରେ ପ୍ରଶ୍ନ କରୁଛନ୍ତି।
ସୂଚନାଯୋଗ୍ୟ, ଫିଲ୍ମର କାହାଣୀକୁ ନେଇ ଚାରି ଆଡ଼ୁ ବିବାଦ ଲାଗି ରହିଥିଲା। ସିନେମା ଉପରେ କଟକଣା ଲଗାଇବାକୁ ଦାବି ମଧ୍ୟ ହୋଇଥିଲା। ମାତ୍ର ସବୁ ସତ୍ତ୍ଵେ ଫିଲ୍ମ ମେ ୫ରେ ସିନେମାଘରଗୁଡ଼ିକରେ ରିଲିଜ୍ ହୋଇଛି। ସେନସର ବୋର୍ଡ ଫିଲ୍ମର ୧୦ ସିନ୍ କାଟିଛନ୍ତି ଏବଂ ଏ ସାର୍ଟିଫିକେଟ୍ ଦେବା ପରେ ଫିଲ୍ମକୁ ରିଲିଜ୍ କରାଯାଇଛି।