ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଚରମରେ କର୍ଣ୍ଣାଟକ ରାଜନୀତି। ମେ ୧୦ ତାରିଖରେ ରହିଛି ଭୋଟଦାନ। ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ବିଜେପିର ଓବିସି ଭୋଟ୍ ବ୍ୟାଙ୍କ ଉପରେ କଂଗ୍ରେସର ନଜର ରହିଛି। ଏହା ଜରିଆରେ ପାର୍ଟି ଚଳିତ ବିଧାନସଭା ସହ ଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ମଧ୍ୟ ନଜର ରଖିଛି। ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହି କାରଣରୁ ତାଙ୍କର ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଥିଲା। ଠିକ୍ ୪ ବର୍ଷ ପରେ ଏହି କୋଲାରରେ ବିଧାନସଭା ନିର୍ବାଚନରେ ଜାତିଗତ ଜନଗଣନାର ଦାବି କରି ରାହୁଲ ଗାନ୍ଧୀ କଂଗ୍ରେସ ରାଜନୀତିରେ ମହତ୍ଵପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି।
ସାଧାରଣତଃ ଅଗଡ଼ି ଜାତି, ଦଳିତ ଏବଂ ସଂଖ୍ୟାଲଘୁଙ୍କ ଉପରେ ଭରସା କରି ରାଜନୀତି କରୁଥିବା କଂଗ୍ରେସର ରଣନୀତିରେ ଏହା ଏକ ବଡ଼ ପରିବର୍ତ୍ତନ। ଏହି ଘୋଷଣା ବିଜେପିକୁ ଓବିସିଙ୍କ ଅପମାନ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ଦାବିରୁ ହଟିବାକୁ ପଡ଼ିଛି। କଂଗ୍ରେସ ପୂରା ଦେଶରେ ଯେତେ ଜନତା ସେତିକି ଅଧିକାର ଅଭିଯାନ ଆରମ୍ଭ କରି ଦେଇଛି। ଫେବୃଆରୀରେ ସଂପନ୍ନ ୮୫ତମ ମହାଧିବେଶନରେ କଂଗ୍ରେସ ଭବିଷ୍ୟତର ରାଜନୀତିର ସଙ୍କେତ ଦେଇଥିଲା। ପାର୍ଟି ସାମାଜିକ ନ୍ୟାୟ ଏଜେଣ୍ଡାକୁ ଆଗକୁ ବଢାଇ ଓବିସି ବର୍ଗ ପାଇଁ ଘୋଷଣା କରିଥିଲା। ଓବିସି ପାଇଁ ଭିନ୍ନ ମନ୍ତ୍ରଣାଳୟ ଏବଂ ଉଚ୍ଚ ନ୍ୟାୟାପାଳିକାରେ ଓବିସି ସଂରକ୍ଷଣ ପରି ଅନେକ ଘୋଷଣା ସାମିଲ୍ ଥିଲା।
କଂଗ୍ରେସ ନିର୍ଦ୍ଧାରିତ ରଣନୀତି ଆଧାରରେ କର୍ଣ୍ଣାଟକ ନିର୍ବାଚନରେ ଓବିସି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟରେ ୨୨ ପ୍ରତିଶତ ଓବିସି ପାଖାପାଖି ୩୦ ସିଟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ଓବିସିର ୫୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲା। ଏଥର କଂଗ୍ରେସ ୫୨ ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ରଣନୀତି ସ୍ଵରୂପ ଦଳ ବିଜେପିର ସବୁଠୁ ବଡ ଭୋଟ୍ ବ୍ୟାଙ୍କ ଓବିସି ଉପରେ ନଜର ରଖିଛି।