ଦ୍ବିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ପୋଲିସ ଲଗାଇ ଉଠାଇ ନେଲେ ପ୍ରଥମ ପତ୍ନୀ


କୋରାପୁଟ: ବାହା ହେବାକୁ ମନ କନ କନ । ପ୍ରଥମ ପତ୍ନୀ ସହ ୧୬ ବର୍ଷର ଭେଣ୍ଡିଆ ପୁଅ ଥାଉ ଥାଉ ରସିକିଆ ବାପା ପୁଣି ବାହା ହେଉଥିଲା । ଭାବିଥିଲା କେହି କିଛି ଜାଣି ପାରିବେନି । ଆଉ ଜଣଙ୍କୁ ବାହା ହୋଇ ତାଙ୍କ ସହ ରାସଳୀଳା କରିବେ । ହେଲେ ସେ ଜାଣି ନଥିଲେ ପ୍ରଥମ ପତ୍ନୀ ଓ ପୁଅ ମିଶି ତାଙ୍କୁ ବାମ୍ଫ ଦେଇ ଦେବେ ବୋଲି । ଥାନାରେ ପତ୍ନୀ ଓ ପୁଅଙ୍କ ଅଭିଯୋଗ ପରେ ବର ସାଜି ବେଦୀରେ ବସିଥିବା ସ୍ବାମୀଙ୍କୁ ପୋଲିସ ଉଠାଇ ନେଇଛି । ଏମିତି ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ, ହାତରେ ଏକ ବିବାହ କାର୍ଡ ଧରି ଜଣେ ମହିଳା ଏକ ୧୬ ବର୍ଷର ବାଳକ ସହ ବୋରିଗୁମ୍ମା ଥାନାରେ ପହଞ୍ଚିଥିଲେ । ପତ୍ନୀ ଓ ପୁଅ ଥାଉ ଥାଉ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଅଭିଯୋଗ କରି ନ୍ୟାୟ ମାଗିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ମହିଳାଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଚାଲି ଆସିଥିଲା ପୋଲିସ ।

ଗୋଟିଏ ପଟେ ମହିଳା ଜମୁନା ସମରଥ ଥାନାରେ ଧାରଣାରେ ବସିଥିବ ବେଳେ ଅନ୍ୟପଟେ ସ୍ବାମୀ ବିପିନ ସମରଥ ବିବାହ କରୁଥିଲେ । ଆଉ ଏହି ସମୟରେ ଜମୁନା ଏବଂ ନାବାଳକ ପୁଅଙ୍କୁ ଧରି ପୋଲିସ ବାହାଘର ହେଉଥିବା ଦୁଲାଗୁଡା ଗାଁରେ ପହଞ୍ଚି ଯାଇଥିଲା । ପୋଲିସ ପହଞ୍ଚିବା ବେଳକୁ ଶଙ୍ଖ, ମହୁରୀ ବାଜା ବାଇଦ ସହ ଚାଲିଥିଲା ବାହାଘର । ହଠାତ୍ ପୋଲିସ ଗାଡ଼ିକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେହି କିଛି ବୁଝିବା ଆଗରୁ ପୋଲିସ ବେଦୀରୁ ବରକୁ ଉଠାଇ ଆଣିଥିଲା ।

ଜମୁନାଙ୍କ ଅଭିଯୋଗ ଅନୁସାରେ ବିପିନ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ତାଙ୍କର ଏକ ୧୬ ବର୍ଷର ପୁଅ ଅଛି । ସେ ଏବେ ଯୁକ୍ତଦୁଇରେ ପାଠ ପଢୁଛି । ହେଲେ ସ୍ତ୍ରୀ ଓ ପୁଅକୁ ଛାଡ଼ି ବିପିନ ଦ୍ୱାତୀ ବିବାହ କରୁଥିଲେ ।