OSSSC ଶାରୀରିକ ପରୀକ୍ଷା: ଦୌଡୁଥିବା ବେଳେ ଦୁଇ ପ୍ରାର୍ଥୀ ମୃତ


ଭୁବନେଶ୍ବର: ନିଯୁକ୍ତି ପାଇଁ OSSSC ଶାରୀରିକ ପରୀକ୍ଷା ସମୟରେ ବଡ଼ ଅଘଟଣ । ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଉଭୟ ଦୌଡ଼ିବାବେଳେ ଥକି ପଡିଥିଲେ । ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଗତକାଲି ଯୁଗ୍ମ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିଲା । ରାଉରକେଲା ସେକ୍ଟର ୨୨ ଅଞ୍ଚଳର ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ । ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ । ଭବାନିପୁର କ୍ରୀଡା କମ୍ପ୍ଲେକ୍ସରୁ ଦୌଡ଼ ଆରମ୍ଭ ହୋଇଥିବାବେଳେ ସେଠାରୁ ୪ କିଲୋମିଟର ଦୌଡ଼ି ସାରିଥିଲେ । ସଦର ଥାନା କିରେଇ ନିକଟ ଟସର ପଡ଼ିଆ ନିକଟରେ ହଠାତ ଝୁଣ୍ଟି ପଡ଼ି ଅଚେତ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ସରକାରୀ ମେଡିକାଲ କଲେଜ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ତାଙ୍କର ମେଡିକାଲ ଯାଞ୍ଚ କରାଯିବା ସମୟରେ ସବୁ ଠିକ୍ ଥିଲା ଏବଂ ସେ ସୁସ୍ଥ ଥିବା କହି ଦୌଡିବା ପାଇଁ ସ୍ବୀକୃତି ଦେଇଥିଲେ ।

ଅନ୍ୟ ଜଣେ ମୃତକ ହେଲେ କେନ୍ଦୁଝରର ବ୍ୟୋମକେଶ ନାୟକ । ବ୍ୟୋମକେଶ ଇଞ୍ଜିନିୟରିଂ ପରେ ସେ କେନ୍ଦୁଝର ସବ କଲେକ୍ଟରଙ୍କ ଅଫିସରେ କ୍ଳିରାଣୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ। ସେ ମଧ୍ୟ ପଞ୍ଚାୟତ ପିଇଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ଚାକିରିରେ ଯୋଗ ଦେଇ ନଥିଲେ । ଏପଟେ ଆଜି ଫରେଷ୍ଟର ପରୀକ୍ଷାରେ ଦୌଡ଼ିବା ସମୟରେ ଥକି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ୟୋମକେଶଙ୍କ ବର୍ଷକର ଝିଅ ରହିଛି । ତେବେ ବ୍ୟୋମକେଶଙ୍କ ବାପାମାଆ କିଛି ବର୍ଷ ପୂର୍ବରୁ ଚାକିରିରେ କାର୍ଯ୍ୟରତ ଅବସ୍ଥାରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପରିବାରକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।