Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଞ୍ଜୟ ରାଉତଙ୍କୁ କ’ଣ ଜଣା, ସାମନାରେ ପ୍ରକାଶିତ ସଂପାଦକୀୟ ଉପରେ ଦୃଢ ଜବାବ ଦେଲେ ଶରଦ ପାଓ୍ଵାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡିର ସହଯୋଗୀ ଦଳ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି। ଏହାର ସଦ୍ୟତମ ଘଟଣା ଉଦ୍ଧବ ଠାକରେଙ୍କ ମୁଖପତ୍ର ସାମ୍ନାରେ ପ୍ରକାଶିତ ଲେଖାରୁ ବାରି ହୋଇ ପଡ଼ୁଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ପ୍ରମୁଖ ଶରଦ ପାଓ୍ଵାର ବିଗତ ଦିନରେ ସାମନାରେ ଛପିଥିବା ସଂପାଦକୀୟକୁ ନେଇ ନିଜର ଜବାବ ରଖିଛନ୍ତି। ସଂପାଦକୀୟ ପ୍ରକାଶ ପାଇଥିଲା ଯେ, ଏନସିପି ମୁଖ୍ୟ ଏତେ ବଡ଼ ରାଜନେତା ହୋଇ ସୁଦ୍ଧା ନିଜର ଉତ୍ତରାଧିକାରୀ ପ୍ରସ୍ତୁତ କରିବାରେ ବିଫଳ ହେଲେ। ଏହା ଜବାବରେ ପାଓ୍ଵାର କହିଛନ୍ତି, ମୁଁ ଉତ୍ତରାଧିକାରୀ ପ୍ରସ୍ତୁତ କରିଛି କି ନାହିଁ ତାହା ମହାରାଷ୍ଟ୍ର ଜନତା ଜାଣିଛନ୍ତି।

ସତାରାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶରଦ ପାଓ୍ଵାର କହିଛନ୍ତି, ସଞ୍ଜୟ ରାଉତ ଜାଣି ନାହାନ୍ତି ଯେ, ଆମେ କଣ କରିଛୁ। ଏନସିପିର ବିଶେଷତ୍ଵ ଏହା ଯେ, ଆମେ ସମସ୍ତ ସାଥୀଙ୍କ ସହ ଆଲୋଚନା କରୁ। ଭିନ୍ନ ଭିନ୍ନ ରାୟ ରଖୁ ମାତ୍ର ବାହାରେ ପ୍ରଚାର କରୁନି, କାରଣ ଏହା ଆମର ପାରିବାରିକ ମାମଲା। ପରିବାର ଭାବେ ଆମେ ସମସ୍ତେ ଜାଣିଛୁ ଯେ, ପାର୍ଟିକୁ କେମିତି ଆଗକୁ ନିଆଯିବ ଏବଂ କେମିତି ନୂତନ ନେତୃତ୍ଵ ପ୍ରସ୍ତୁତ କରାଯିବ।

ସେ କହିଛନ୍ତି, ଯେଉଁ ଲୋକ ଆମ ବିଷୟରେ ଲେଖୁଛନ୍ତି, ଆମେ ସେମାନଙ୍କୁ ମହତ୍ଵ ଦେଉନି। ସେମାନେ ଲେଖି ଚାଲନ୍ତୁ। ଏମିତି କରିବା ସେମାନଙ୍କର ଅଧିକାର। ଆମେ ଏହା ହିଁ ଆଶା କରୁଛୁ। ଆମେ ବେଶ ଭଲ ଭାବେ ଜାଣିଛୁ ଯେ, ଆମେ କଣ କରୁଛୁ। ଆମକୁ ଏଥିରେ ସନ୍ତୁଷ୍ଟି ମିଳିଥାଏ ବୋଲି ପାଓ୍ଵାର କହିଛନ୍ତି।

୧୯୯୯ରେ ଏନସିପି ଗଠନ ପରେ ସେ ପାର୍ଟିକୁ କେମିତି ନେତୃତ୍ଵ ଦେଇଛନ୍ତି ଏହାର ଉଦାହରଣ ଦେଇଛନ୍ତି ଶରଦ ପାଓ୍ଵାର। ସେ କହିଛନ୍ତି, ଯେବେ ଆମେ ୧୯୯୯ରେ କଂଗ୍ରେସ ସହିତ କ୍ଷମତାକୁ ଆସିଲୁ, ଆମେ ଏକ କ୍ୟାବିନେଟ୍ ଗଠନ କରିଥିଲୁ। ଏଥିରେ ଯେଉଁ ଲୋକଙ୍କୁ ସାମିଲ୍ କରାଯାଇଥିଲା, ସେଥିରେ ଜୟନ୍ତ ପାଟିଲ୍, ଅଜିତ୍ ପାଓ୍ଵାର, ଆର ଆର ପାଟିଲ୍, ଦିଲୀପ ବଲସେ ପାଟିଲ୍, ଅନିଲ ଦେଶମୁଖ ଏବଂ ଏମିତି ଅନେକ ନାମ ରହିଛି ଯେଉଁମାନେ ପ୍ରଥମ ଥର କ୍ଷମତାକୁ ଅନୁଭବ କରୁଥିଲେ, ଯାହାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମ ଥର ନିଯୁକ୍ତ କରାଯାଇଥିଲା।

ମହାରାଷ୍ଟ୍ର ଦେଖିଛି ଯେ, ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଦକ୍ଷତା ସାବ୍ୟସ୍ତ କରିଛନ୍ତି। ଯଦି ଏମିତିରେ ଲୋକେ ଲେଖିବାକୁ ଚାହାନ୍ତି ଯେ, ଆମେ ଉତ୍ତରାଧିକାରୀ ପ୍ରସ୍ତୁତ କଲୁ କି ନାହିଁ, ତେବେ ଆମେ ସେମାନଙ୍କୁ ଗୁରୁତ୍ଵ ଦେଉନି ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ