କଳାହାଣ୍ଡିରେ ଚାଞ୍ଚଲ୍ୟ : ଦିନ ପ୍ରଥମ ପ୍ରହରରେ ବୋମା ଫିଙ୍ଗି ଡକାୟତି ଉଦ୍ୟମ : ଉପସ୍ଥିତ ବୁଦ୍ଧି ଖଟାଇ ଜଣକୁ କାବୁ କଲେ ଲୋକେ


କଳାହାଣ୍ଡି, ୨୧/୦୪-ଆଜି ଦିନ ପ୍ରାୟ ୧୦ ଟା ସମୟରେ ଜନଗହଳି ପୂର୍ଣ୍ଣ ପୁଷ୍ପା ଲଜ ଗଳିରେ ଜଣେ ବ୍ୟବସାୟୀଙ୍କ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିବା ସହିତ ଏଥିରେ ସଫଳ ନହେବାରୁ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରିଛନ୍ତି ତିନି ଜଣ ଡକାୟତ। ଦିନବେଳେ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏପରି ଆତଙ୍କରାଜ ଚଳାଇଥିବା ତିନିଜଣ ଡକାୟତଙ୍କ ମଧ୍ୟରୁ ଜଣକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭବାନୀପାଟଣା ସହରର ବ୍ୟବସାୟୀ ଘନଶ୍ୟାମ ଅଗ୍ରୱାଲଙ୍କ ପ୍ରାୟ ୭ ଲକ୍ଷ ଟଙ୍କା ନେଇ ତାଙ୍କର ଦୁଇ କର୍ମଚାରୀ ଶରତ ଚନ୍ଦ୍ର ମେହେର ଓ ନରେଶ କୁମାର ସାହୁ ଏକ ସ୍କୁଟି ଯୋଗେ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ଏହି ସମୟରେ ପୁଷ୍ପଲଜ ଗଳିର ଶେଷ ମୁଣ୍ଡରେ ଥିବା ଏକ କିରାନା ଦୋକାନ ସାମ୍ନାରେ ପୂର୍ବରୁ ଛକିଥିବା ତିନିଜଣ ଡକାୟତ ଅତର୍କିତ ଭାବେ ଶରତ ଓ ରମେଶଙ୍କ ଉପରେ ଆକ୍ରମଣ କରିବା ସହିତ ପ୍ରଥମେ ସେମାନଙ୍କ ମୁହଁରେ ଲଙ୍କାଗୁଣ୍ଡ ମାରିଥିଲେ। ମୁହଁରେ ଲଙ୍କାଗୁଣ୍ଡ ମାରି ଟଙ୍କା ବ୍ୟାଗ ଛଡ଼ାଇ ନେବାକୁ ଉଦ୍ୟମ କଲାବେଳେ ଦୁହେଁ ଜୋରରେ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ଦୋକାନକୁ ସଉଦା କରିବାକୁ ଆସିଥିବା ମହାବୀର ପଡ଼ାର ଚନ୍ଦନ ନାଗ ନାମକ ଯୁବକ ପାଖକୁ ଛୁଟି ଆସିଥିଲେ। ଡକାୟତ ମାନଙ୍କ ସହିତ ତାଙ୍କର ଠେଲାପେଲା ହେବା ସହିତ ଚନ୍ଦନଙ୍କ କବଳରୁ ମୁକୁଳିବା କଷ୍ଟକର ହେବା ଦେଖି ଜଣେ ଡକାୟତ ଏକ ହାତବୋମା ଫିଙ୍ଗିଥିଲା। ଏଥିରେ ଚନ୍ଦନଙ୍କ ଛାତିରେ ଆଘାତ ଲାଗିବା ସହିତ ସ୍କୁଟିର ସାମ୍ନା ପଟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେଇ ସୁଯୋଗରେ ଡକାୟତମାନେ ଖସି ଯାଉଥିବାବେଳେ ପ୍ରଚଣ୍ଡ ଶବ୍ଦ ଶୁଣି କଣ ହେଲା ବୋଲି ଆସୁଥିବା ଲିଙ୍ଗରାଜ ପଣ୍ଡା ନାମକ ଜଣେ ଯୁବକ ସାହସ ଦେଖାଇ ଜଣେ ଡକାୟତକୁ ମାଡ଼ି ବସିଥିଲେ। ତେବେ ଦୁଇଜଣ ଡକାୟତ ଏକ ନୀଳ ରଙ୍ଗର ଆପାଚି ବାଇକରେ ଖସି ପଳାଇଥିଲେ। ତେବେ ଲିଙ୍ଗରାଜଙ୍କ ଦ୍ୱାରା ଜଣେ ଡକାୟତ ଧରା ପଡ଼ିବା ପରେ ଉତ୍ୟକ୍ତ ଲୋକେ ତାକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ହସ୍ତାନ୍ତର କରିଥିଲେ। ଏହାପରେ ଖବର ପାଇ ସଦର ଏସଡିପିଓ ଆଜିଙ୍କ ବାବୁ ରାଓ ମାନେଙ୍କ ସହିତ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେହିପରି କଳାହାଣ୍ଡି ଜିଲ୍ଲା ତଥା ଭବାନୀପାଟଣା ସହରରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆଣି ଛାନବିନ ଆରମ୍ଭ କରିଥିଲା। ଏହି ଡକାୟତି ଘଟଣାରେ ଜଣେ ଅଣଓଡ଼ିଆ ଡକାୟତ ଧରା ପଡିଥିବାରୁ ଏଥିରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏପରିକି ପୁଷ୍ପାଲଜ ଗଳି ସହରର ଏକ ଜନବହୁଳ ଅଞ୍ଚଳ ହୋଇଥିବାବେଳେ ଡକାୟତମାନେ ଏହି ଅପରାଧ ଘଟାଇବାକୁ ପୂର୍ବ ପ୍ରସ୍ତୁତି କରିଥିଲେ ଏବଂ ସହରର ସେଇ ସ୍ଥାନକୁ ବାଛିଥିଲେ, ଯେଉଁଠି ସିସିଟିଭି ନାହିଁ ବୋଲି କୁହାଯାଉଛି। ତେବେ ଜିଲ୍ଲାରେ ଏଭଳି ଡକାୟତି ଉଦ୍ୟମ ପ୍ରଥମ ଘଟଣା ହୋଇଥିବାବେଳେ କଳାହାଣ୍ଡି ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ପରିଣତ ହୋଇଛି। ସେହିପରି ଡକାୟତ ଉଦ୍ୟମକୁ ପଣ୍ଡ କରିବାରେ ଆଉ ନିଜର ଅଦମ୍ୟ ସାହସ ଦେଖାଇଥିବା ଯୁବକ ଚନ୍ଦନ ନାଗ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଜିଲ୍ଲା ବ୍ୟାପି ଶୁଭେଚ୍ଛାର ସୁଅ ଛୁଟୁଛି।