Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦ୍ଧବ ଠାକରେ ଇସ୍ତଫା ଦେଇନଥିଲେ, ଆଶ୍ଵସ୍ତି ମିଳିଥାନ୍ତା , ମହାରାଷ୍ଟ୍ର ମାମଲାରେ SCଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ

ନୂଆଦିଲ୍ଲୀ: ଏକନାଥ ସିନ୍ଦେ ସରକାର ଗଠନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଜି ଯେଉଁ ଟିପ୍ପଣୀ କରିଛନ୍ତି ସେଥିରେ ଉଦ୍ଧବ ଠାକରେଙ୍କ ଅବଶୋଷ ଆହୁରି ବଢି ଯାଇଥିବ। ସୁପ୍ରିମକୋର୍ଟ ସରକାରଙ୍କ ଭବିଷ୍ୟତ ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ଦେଇନଥିଲେ ହେଁ ୨ଟି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜ୍ୟପାଳଙ୍କ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବା ପାଇଁ କହିବା ନିଷ୍ପତ୍ତି ଭୁଲ୍ ଥିଲା। କୌଣସି ଦଳର ଆଭ୍ୟନ୍ତରୀଣ କନ୍ଦଳ ଆଧାରରେ ଫ୍ଲୋର ଟେଷ୍ଟ କରାଯାଇ ପାରିବ ନାହିଁ। ରାଜ୍ୟପାଳଙ୍କୁ ଦଳର ରାଜନୀତିରେ ପଡ଼ିବା ଉଚିତ୍ ନୁହେଁ। ଯଦି ଉଦ୍ଧବ ଠାକରେ ଇସ୍ତଫା ଦେଇନଥାନ୍ତେ ତେବେ ସ୍ଥିତି ଆଜି ଭିନ୍ନ ହୋଇଥାନ୍ତା ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠ କହିଛନ୍ତି।

ପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଉଦ୍ଧବ ଠାକରେ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇନଥିଲେ ଏବଂ ତା ପୂର୍ବରୁ ଇସ୍ତଫା ଦେଇ ଦେଲେ। ଏଥିପାଇଁ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରି ପାରିବୁ ନାହିଁ। ଏମିତି ସ୍ଥିତିରେ ଏକନାଥ ସିନ୍ଦେ ସରକାର ଜାରି ରହିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ଆଶ୍ଵସ୍ତି ଦେଇନଥିଲେ ହେଁ ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି। ହେଲେ ସବୁଠୁ ବଡ଼ ଅବଶୋଷ ଆଜି ଉଦ୍ଧବ ଠାକରେଙ୍କୁ ହେଉଥିବ। ଭାବୁକ ହୋଇ ସେ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।

ତାଙ୍କର ଇସ୍ତଫା ହିଁ ଆଜି ପୂରା ନିଷ୍ପତ୍ତିର ଆଧାର ପାଲଟିଛି। ଅନାସ୍ଥା ଭୋଟର ସାମ୍ନା ନକରି ଇସ୍ତଫା ଦେବାକୁ କାରଣ ମାନି ସୁପ୍ରିମକୋର୍ଟ ଏକନାଥ ସିନ୍ଦେ ସରକାରଙ୍କ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଉଲ୍ଲେଖନୀୟ ଉଦ୍ଧବ ଠାକରେଙ୍କ ଇସ୍ତଫା ନିଷ୍ପତ୍ତି ଉପରେ ଶରଦ ପାଓ୍ଵାର ବି ପ୍ରଶ୍ନ ଉଠାଇଥିଲେ। ଏପରିକି ଉଦ୍ଧବଙ୍କ ତାଙ୍କର ଏହି କାମ ପାଇଁ ଅପରିପକ୍ଵ କହିଥିଲେ।
ଏମିତି ହୋଇଥିଲେ ଅଯୋଗ୍ୟ ହୋଇଥାନ୍ତେ ସିନ୍ଦେ ଗୋଷ୍ଠୀ

ଯଦି ଉଦ୍ଧବ ଠାକରେ ସେହି ସମୟରେ ଇସ୍ତଫା ଦେଇନଥାନ୍ତେ ତେବେ ଆଜି ଚିତ୍ର ଭିନ୍ନ ହୋଇଥାନ୍ତା। ଆଜି ସିନ୍ଦେ ଗୋଷ୍ଠୀର ବିଧାୟକ ଅଯୋଗ୍ୟ ସାବ୍ୟସ୍ତ ହୋଇ ପାରିଥାନ୍ତେ। ତାଙ୍କ ସରକାର ଉପରେ ବିପଦ ସୃଷ୍ଟି ହୋଇଥାନ୍ତା। ଏପରିକି ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ପୁନର୍ବାର ସରକାର ଗଠନ କରିବାକୁ ସୁଯୋଗ ମିଳିଥାନ୍ତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ