ରାହୁଲ ଗାନ୍ଧୀଙ୍କୁ ସଜା ଦେଇଥିବା ସୁରଟ CJMଙ୍କ ପ୍ରମୋସନ ଉପରେ ଲାଗିଲା ରୋକ୍, ୬୮ ଜଜଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୁରଟର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍(ସିଜେଏମ) ହରିଶ ହସମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ନିମ୍ନ ଅଦାଲତର ୬୮ ଜଜଙ୍କୁ ବଡ଼ ଝଟକା ଦେଇ ସେମାନଙ୍କ ପଦୋନ୍ନତି ଉପରେ ଶୁକ୍ରବାର ରୋକ୍ ଲଗାଇଛନ୍ତି। ସୁରଟର ସିଜେଏମ ହସମୁଖଭାଇ ବର୍ମା ନିକଟ ଦିନରେ ମାନହାନୀର ଏକ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ।
ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ପୀଠ ମାମଲାର ଶୁଣାଣି କରି କହିଛନ୍ତି, ଗୁଜରାଟ୍ ରାଜ୍ୟ ନ୍ୟାୟିକ ସେବା ନିୟମାବଳୀ ୨୦୦୫ ଅନୁସାରେ, ଯୋଗ୍ୟତା ସହ ବରିଷ୍ଠତା ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯାଇ ହିଁ ପଦୋନ୍ନତି ମିଳିଥାଏ। ଏ ନେଇ ୨୦୧୧ରେ ନିୟମାବଳୀରେ ସଂଶୋଧନ କରାଯାଇଥିଲା।
ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟଙ୍କ ଦ୍ଵାରା ଜାରି ତାଲିକା ଏବଂ ଜିଲ୍ଲା ନ୍ୟାୟାଧୀଶଙ୍କୁ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ଆଦେଶନାମା ବେଆଇନ ଅଟେ। ଏହା ଅଦାଲତଙ୍କ ନିର୍ଣ୍ଣୟର ବୀପରିତ ରହିଛି। ତେଣୁ ଏହି ତାଲିକାକୁ ରଦ୍ଦ କରାଯାଉଛି। ସମ୍ବନ୍ଧିତ ଜଜମାନଙ୍କୁ ସେମାନଙ୍କ ମୂଳ ପଦରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଉଛି, ଯେଉଁଠି ସେମାନେ ପୂର୍ବରୁ ନିଯୁକ୍ତ ଥିଲେ। ସୁପ୍ରିମକୋର୍ଟ ବରିଷ୍ଠ ସିବିଲ୍ ଜଜ କ୍ୟାଡରର ଅଧିକାରୀ ରବିକୁମାର ମେହଟ୍ଟା ଏବଂ ସଚିନ ପ୍ରତାପରାୟ ମେହଟ୍ଟାଙ୍କ ଯାଚିକା ଉପରେ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।