ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ କର୍ଣ୍ଣାଟକ ବିଜୟର ପୁନରାବୃତ୍ତି ଘଟିବ: ଗେହଲଟ୍


ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ରେ କଂଗ୍ରେସ ପାର୍ଟି ଦମଦାର ବିଜୟ ଆଡ଼କୁ ଆଗକୁ ବଢୁଛି। କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ପରାଜୟ ସ୍ଵୀକାର କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ପାର୍ଟି ଉତ୍ସବରେ ଡୁବି ଗଲାଣି। କଂଗ୍ରେସର ଦମଦାର ପ୍ରଦର୍ଶନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ପରିଣାମ କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଆଗାମୀ ସମୟରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବ।

ଟୁଇଟ୍ କରି ଗେହଲଟ୍ ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମୟରେ ଯେଉଁ ମାହୋଲ ଦେଖିବାକୁ ମିଳିଥିଲା ତାର ପରିଣାମ କର୍ଣ୍ଣାଟକ ନିର୍ବାଚନରେ ସ୍ପଷ୍ଟ ଦେଖିବାକୁ ମିଳିଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ ଦଳ ଦମଦାର ପ୍ରଦର୍ଶନ କରିଛି। କର୍ଣ୍ଣାଟକବାସୀ ସାଂପ୍ରଦାୟିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ବିକାଶ ରାଜନୀତିକୁ ଚୟନ କରିଛନ୍ତି। ଆଗାମୀ ସମୟରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ନିର୍ବାଚନରେ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ଦେଖିବାକୁ ମିଳିଛି। ଭାରତ ଯୋଡ଼ୋ ଯାତ୍ରା କର୍ଣ୍ଣାଟକର ୨୧ ବିଧାସନଭା କ୍ଷେତ୍ର ଦେଇ ଗତି କରିଥିଲା। ଏଥିରୁ ଦଳ ୧୭ଟିରେ ବିଜୟ ଲାଭ କରୁଛି। ୨୦୧୮ରେ କଂଗ୍ରେସ ଏହି ୨୧ ସିଟରୁ ମାତ୍ର ୫ଟିରେ ବିଜୟୀ ହୋଇଥିଲା।