Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋତେ ୨ ବର୍ଷ ମୁଖ୍ୟମନ୍ତ୍ରୀ କରାଯାଉ, ପୁଣି ୩ ବର୍ଷ ଶିବକୁମାରଙ୍କୁ, ହାଇକମାଣ୍ଡଙ୍କୁ ଫର୍ମୁଲା ଦେଲେ ସିଦ୍ଧରମୈୟା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ପ୍ରଚଣ୍ଡ ବହୁମତ ପରେ କଂଗ୍ରେସ ଏବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିପାରେ। ବେଙ୍ଗାଲୁରୁରେ ଏକ ହୋଟେଲରେ ରବିବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପାର୍ଟିର ସମସ୍ତ ନବ ନିର୍ବାଚିତ ୧୩୫ ବିଧାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରିବା ପାଇଁ ବିଧାୟକମାନେ ଭୋଟିଂ କରିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ କିଏ ଶିବକୁମାର ତ ଆଉ କିଏ ସିଦ୍ଧରମୈୟା ଏବଂ ଡାକ୍ତର ଜି ପରମେଶ୍ଵରଙ୍କ ନାମ ଉପରେ ଭୋଟିଂ ଦେଇଛନ୍ତି। ଆଉ କିଛି ବିଧାୟକ ପାର୍ଟି ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।

ପର୍ଯ୍ୟବେକ୍ଷକ ବାଲାଟ୍ ବକ୍ସକୁ କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ନେଇଯିବେ ଏବଂ ଖଡ଼ଗେଙ୍କ ସାମ୍ନାରେ ଭୋଟ୍ ଗଣତି କରାଯିବ। ସର୍ବାଧିକ ଭୋଟ୍ ପାଇଥିବା ନେତାଙ୍କ ନାମ ଗୋପନୀୟ ରଖାଯିବ, କାରଣ ମତଦାନ କେବଳ ବିଧାୟକଙ୍କ ମତାମତ ଜାଣିବା ପାଇଁ କରାଯାଇଥିଲା। ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ପହଞ୍ଚିବାକୁ କୁହାଯାଇଛି। ତେଣୁ ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ଉପରେ ନିଷ୍ପତ୍ତି ନିଆଯାଇପାରେ। ସୂତ୍ର ମୁତାବକ ଗୁରୁବାର ନୂତନ ମୁଖ୍ୟମନ୍ତ୍ରୀ ଏବଂ ୩୦ କ୍ୟାବିନେଟ୍ ସଦସ୍ୟ ଶପଥ ନେଇ ପାରନ୍ତି।

ସିଦ୍ଧରମୈୟାଙ୍କ ଫର୍ମୁଲା
ଇତି ମଧ୍ୟରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ନାମ ଉପରେ ଫର୍ମୁଲା ଦେଇଛନ୍ତି। ସେହି ହିସାବରେ ତାଙ୍କୁ ୨ ବର୍ଷ ଏବଂ ଅବଶିଷ୍ଟ ୩ ବର୍ଷ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ। ସିଦ୍ଧରମୈୟା କହିଛନ୍ତି, ତାଙ୍କୁ ବୟସ ଅଧିକ ହୋଇଗଲାଣି ଏଥିପାଇଁ ସେ ଅତି କମରେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସରକାର ଚଲାଇବାକୁ ଚାହାନ୍ତି। ହେଲେ ଶିବକୁମାର ସିଦ୍ଧରମୈୟାଙ୍କ ଏହି ଫର୍ମୁଲାକୁ ରାଜସ୍ଥାନ ଏବଂ ଛତିଶଗଡ଼ର ଦ୍ଵାହି ଦେଇ ଖଣ୍ଡନ କରିଛନ୍ତି।

ଦୁଇ ନେତା ସମସ୍ତ ବିଧାୟକଙ୍କୁ ନିଜ ନିଜର ସମର୍ଥନ ମାଗିଛନ୍ତି। ହାଇକମାଣ୍ଡଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଯେ, ଯଦି ଡିକେ ଶିବକୁମାରଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଏ ତେବେ ସିଦ୍ଧରମୈୟାଙ୍କୁ କେମିତି ମନାଯିବ ଏବଂ କେଉଁ ଦାୟିତ୍ଵ ଦିଆଯିବ। ଶିବକୁମାରଙ୍କ ପକ୍ଷ ଏଥିପାଇଁ ମଜବୁତ ରହିଛି କାରଣ ପାର୍ଟି ଗତ ତିନି ବର୍ଷରେ ସେ କରିଥିବା କାମ ବିଷୟରେ ବେଶ ଭଲ ଭାବେ ଅବଗତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ