Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମେ ଆବଶ୍ୟକ ଭିତ୍ତିଭୂମି : ପରେ ୟୁନିଫାଏଡ ଅଟୋମେସନ ସିଷ୍ଟମ : ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ

କଳାହାଣ୍ଡି,୩୧/୦୭-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ୟୁନିଫାଏଡ ଅଟୋମେସନ ସିଷ୍ଟମ। ଏହାଦ୍ୱାରା ସ୍କୁଲଗୁଡ଼ିକୁ ଶିକ୍ଷକ ଯୋଗାଇଦେବା, ସ୍କୁଲ ମନିଟରିଂ କରିବା, ଛୁଟି ମଞ୍ଜୁର, ବଣ୍ଟନ ବ୍ୟବସ୍ଥା ପରିଚାଳନା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଡ୍ରପଆଉଟ ରୋକିବା, ଶିକ୍ଷକ ଓ କର୍ମଚାରୀ ଉପସ୍ଥାନ ତଥା ଅଭିଯୋଗ ଗ୍ରହଣ ଆଦି ଅନ୍ତର୍ଭୁକ୍ତ ରହିଛି। ତେବେ ଆଜି ବି କଳାହାଣ୍ଡି ଜିଲ୍ଲା ବିଶେଷ କରି ଲାଞ୍ଜିଗଡ଼ ବ୍ଲକ ଭଳି ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି। ଏପରିକି ୟୁନିଫାଏଡ ଅଟୋମେସନ ସିଷ୍ଟମ ଲାଗୁ କରିବା ପାଇଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଏହା ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟିର ଅଭାବ ବୋଲି ଅସନ୍ତୋଷ ପ୍ରକାଶ କରିଛି ଲାଞ୍ଜିଗଡ଼ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ଆବଶ୍ୟକୀୟ ଭିତ୍ତିଭୂମି ଯଥା ଶିକ୍ଷକ ନିଯୁକ୍ତି, ମୋବାଇଲ ଫୋନ ପ୍ରଦାନ, ନେଟ୍ ପ୍ୟାକ୍, କମ୍ପ୍ୟୁଟର ଶିକ୍ଷକ ନଯୋଗାଇବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଜିଲ୍ଲା ସଂଗଠନ ତରଫରୁ ସରକାରଙ୍କୁ ପୂର୍ବରୁ ଦାବି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁବାଟିକା ପାଇଁ ଶ୍ରେଣୀଗୃହ ଅଭାବ, ଅଣଶିକ୍ଷାଦାନ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ନିୟୋଜନ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଅଧିକାଂଶ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ପରିସ୍ଥିତିରେ ୟୁନିଫାଏଡ ଅଟୋମେସନ ସିଷ୍ଟମ ଲାଗୁ କରିବା ଆଦୌ ସମ୍ଭବ ନୁହେଁ ବୋଲି ଦର୍ଶାଇଛି ମିଳିତ ଶିକ୍ଷକ ସଂଘ। ଏଣୁ ଖାଲି ପଡ଼ିଥିବା ପଦବୀ ପୁରଣ କରିବା ସହିତ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ସରକାରଙ୍କ ଏହି ଡିଜିଟାଲ ରୂପରେଖ ଓ ଶିଶୁବାଟିକା ବ୍ୟବସ୍ଥା ସାକାର ହୋଇପାରିବ। ସେହିପରି ଉପଯୁକ୍ତ ଭିତ୍ତିଭୂମି ନହେବା ଯାଏଁ ଏହା ବନ୍ଦ କରିବାକୁ ଲାଞ୍ଜିଗଡ଼ ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କୁ ଦାବି କରାଯାଇଛି। ଆଜି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୩୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ, ଏୟୁସିଟି ପିଟିଏଫ ଜିଲ୍ଲା ସଭାପତି ଲବ ଦୁର୍ଗା, ବ୍ଲକ ସଭାପତି ମଣ୍ଡଳୀରୁ ପ୍ରମୋଦ କୁମାର ମହାନ୍ତି, ଅନୀଲ କୁମାର ତ୍ରିପାଠୀ, ପଞ୍ଚାନନ ନାଗ, ଜଳନ୍ଧର ମାଝୀ, ଚନ୍ଦନ ସାହୁ, ନରୋତ୍ତମ ନାଗ, ସମ୍ପାଦକ ମଣ୍ଡଳୀରୁ ଏମ୍. ଏସ୍. ଶେଖର, ମନୋଜ କୁମାର ମହାଖୁଡ, ଗିରିଧାରୀ ଗଉଡ଼, ନିରଞ୍ଜନ ମାଝୀ, ଦେବାଶିଷ ସେଠୀ, ଉପଦେଷ୍ଟା ମଣ୍ଡଳୀରୁ ତପନ କୁମାର ଭୋଇ, ସୁବାସ ନାୟକ, ଭୁବନେଶ୍ବର ସାହୁ, ରତ୍ନାକର ଦୋରାଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଓ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ