Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ : ଖବର ପ୍ରସାରଣ ପରେ ପୁଲିସର ତତ୍ପରତା : କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ : ଦୁଇ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି : ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ

କଳାହାଣ୍ଡି,୦୪/୦୮- ପରିବାର ଲୋକଙ୍କ ଲଗାତାର ଅଭିଯୋଗ, ଓଡ଼ିଶା. ନ୍ୟୁଜର ସନ୍ଦେହ ଓ ଅନୁମାନ ଶେଷରେ ସତ ହୋଇଛି। ପୁଲିସର ନିଷ୍କ୍ରିୟତା ସମ୍ପର୍କରେ ଖବର ପ୍ରସାରଣ ଓ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ କରିଛି ବିଶ୍ୱନାଥପୁର ପୁଲିସ। ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼ ନେଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ କରିଥିବା ପୁଲିସ ଆଜି ତତ୍ପରତା ପ୍ରକାଶ କରିଥିଲା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା କୁକୁର। ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ସେ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ଦହିଖାଲ ଷ୍ଟେସନ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି। ପୁଲିସ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବିଶ୍ୱନାଥପୁର ଥାନାକୁ ନେଇଯାଇଛି। ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିବାବେଳେ ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ସେ। କେରଳରୁ ସେ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରିଥିଲା। ହତ୍ୟା ପରେ ନିଜର ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା। ତେବେ ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ସେହିପରି ରେଳବାଇ ପୁଲିସ ଦ୍ୱାରା ରାୟଗଡାଠାରେ ଶବ ସଂରକ୍ଷିତ ଥିବା ସୂଚନା ମିଳିଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ଜଣେ ନିରୀହ ବ୍ୟକ୍ତି ହତ୍ୟାର ଶିକାର ହୋଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ