Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ପରାଜୟରେ ତେଲଙ୍ଗାନା ବିଜେପି ଦୁଇ ଫାଳ ! ହିନ୍ଦୁତ୍ଵ ପ୍ରସଙ୍ଗରେ ଅସହମତ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ରେ ପରାଜୟର ପ୍ରଭାବ ତେଲଙ୍ଗାନା ରାଜ୍ୟ ଭାରତୀୟ ଜନତା ପାର୍ଟି ଉପରେ ପଡ଼ିଛି। ରାଜ୍ୟରେ ପାର୍ଟି ହିନ୍ଦୁତ୍ଵ ଏବଂ ବିଆରଏସ ସରକାରକୁ ଘେରିବା ପ୍ରସଙ୍ଗରେ ଦୁଇ ଫାଳ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଦକ୍ଷିଣ ଭାରତର ଏକ ମାତ୍ର ଗଡ଼ କର୍ଣ୍ଣାଟକ ହରାଇବା ପରେ ବିଜେପି ପାଇଁ ତେଲଙ୍ଗାନା ଲଢେଇ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇ ପଡ଼ିଛି। ଦଳ ଏହି ରାଜ୍ୟ ଜରିଆରେ ପୁଣି ଥରେ କର୍ଣ୍ଣାଟକରେ ପ୍ରବେଶ କରିବାକୁ ଅଣ୍ଟା ଭିଡ଼ିଛି।

ତେଲଙ୍ଗାନା ରାଜ୍ୟ ବିଜେପିରେ ପୂର୍ବରୁ ପ୍ରସଙ୍ଗ ଉପରେ ଭିନ୍ନ ଭିନ୍ନ ରାୟ ରହିଛି, କିନ୍ତୁ କର୍ଣ୍ଣାଟକ ପରାଜୟ ପରେ ଏହି ମତଭେଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। ଗୋଟିଏ ପଟେ ତେଲଙ୍ଗାନା ବିଜେପି ସଭାପତି ବନ୍ଦୀ ସଞ୍ଜୟଙ୍କ ସମର୍ଥକ ପାର୍ଟିକୁ ହିନ୍ଦୁତ୍ଵ ଉପରେ ଚାଲିବା ଉଚିତ୍ ବୋଲି କହୁଛନ୍ତି। ଆଉ ଏକ ପକ୍ଷଙ୍କ କହିବା କଥା ପାର୍ଟିକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ତାଙ୍କ ପାର୍ଟିକୁ ବିଫଳତାକୁ ନେଇ ଘେରିବା ଉଚିତ୍।

ବିଆରଏସକୁ ଘେରିବା ପକ୍ଷରେ ସାମିଲ୍ ନେତାଙ୍କ ମଧ୍ୟରୁ ଅଧିକାଂଶ ନିକଟରେ ଅନ୍ୟ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ସେମାନଙ୍କ କହିବା କଥା କର୍ଣ୍ଣାଟକ ଫଳାଫଳ ଏହା ଦର୍ଶାଉଛି ଯେ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ହିନ୍ଦୁତ୍ଵ ପ୍ରସଙ୍ଗ ସୀମିତ ଅଟେ। ପାର୍ଟିକୁ କେସିଆର ସରକାରଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିବା ଉଚିତ୍। କୁହାଯାଉଛି ଅମୂଲ ବନାମ ନନ୍ଦିନୀ ଡାଏରୀ ମାମଲା ଆଞ୍ଚଳିକ ରାଜନୀତିରେ ଭଲ ଉଦାହରଣ ସୃଷ୍ଟି କରିଛି। କିଛି ନେତାଙ୍କ କହିବା କଥା ନନ୍ଦିନୀର ସମର୍ଥନରେ କଂଗ୍ରେସକୁ ବେଶ ଫାଇଦା ମିଳିଛି।

ସେପଟେ କରିମନଗର ସାଂସଦ ସଞ୍ଜୟ ଲଗାତାର ହିନ୍ଦୁତ୍ଵ ପ୍ରସଙ୍ଗକୁ ଉଠାଇ ଚାଲିଛନ୍ତି। ବିଜେପି ରାଜ୍ୟ ସଭାପତିଙ୍କ କହିବା କଥା ହାଇଦ୍ରାବାଦ ସଚିବାଳୟରେ ନିର୍ମିତ ନୂତନ ଗମ୍ବୁଜ ମସଜିଦ ପରି ଦେଖା ଯାଉଛି। ପାର୍ଟି କ୍ଷମତାକୁ ଆସିଲେ ତାହା ହଟାଇବେ ବୋଲି ବନ୍ଦୀ ପ୍ରତିଜ୍ଞା କରିଛନ୍ତି। ଏହିପରି ରାଜ୍ୟ ବିଜେପି ଦୁଇ ଫାଳ ହୋଇଛି।

ସେପଟେ ବିଜେପି ନେତା ଇତାଲା ରାଜେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ବୈଠକ ହେବ ତାର ଖୁଲାସା କରାଯାଇ ନାହିଁ। ମାତ୍ର କୁହାଯାଉଛି ବିଜେପି ବିଧାନସଭା ନିର୍ବାଚନ ପୂର୍ବରୁ ରଣନୀତିକୁ ଆକାର ଦେବା ପାଇଁ ପ୍ରସ୍ତୁତି ଚାଲିଛି।