ବେଦାନ୍ତ ନିୟମଗିରି ଖଣି ସ୍ବପ୍ନ ଦେଖିବା ବନ୍ଦ କରୁ -ପ୍ରଫୁଲ୍ଲ ସାମନ୍ତରା : ବେଦାନ୍ତ ବିରୋଧରେ ଗ୍ରୀନ କଳାହାଣ୍ଡିର ରଣହୁଙ୍କାର : ବିଶ୍ୱନାଥପୁରରେ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି,୨୪/୦୯-ବେଦାନ୍ତ ଲିମିଟେଡ଼ ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କୁ ଦୀର୍ଘ ୨୦ ବର୍ଷ ହେଲା ଭୁଆଁ ବୁଲାଇ ଆସୁଛି। ଲୋକଙ୍କ ବିକାଶର ଦ୍ୱାହି ଦେଉଥିବା ବେଦାନ୍ତ ଅଞ୍ଚଳର ଆଦିବାସୀ, ବିସ୍ଥାପିତ ଲୋକଙ୍କୁ ଧମକ ଚମକ ଦେବା ସହିତ ମିଥ୍ୟା ମାମଲାରେ ଛନ୍ଦି ହଇରାଣ କରୁଛି। ନିୟମଗିରି ଖଣି ଖନନ ଜରିଆରେ ଆଦିବାସୀଙ୍କ ଜୀବନ ଜୀବିକାକୁ ବିପନ୍ନ କରିବା ସହିତ ପ୍ରାକୃତିକ ସମ୍ପଦର ନଷ୍ଟବିନଷ୍ଟ ହିଁ ବେଦାନ୍ତର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଯାହାକି କେବେ ପୂରଣ ହେବ ନାହିଁ। କିଛି ଦଲାଲ ଓ ମୁଷ୍ଟିମେୟ ଲୋକଙ୍କୁ ଧରି ବେଦାନ୍ତ ନିୟମଗିରି ଖଣି ଓ କଞ୍ଚାମାଲ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ଦେଲେ କିଛି ଲାଭ ହେବ ନାହିଁ। ବେଦାନ୍ତ ନିୟମଗିରି ଖଣି ଖନନ ପାଇଁ ଦେଖୁଥିବା ଦିବାସ୍ବପ୍ନ କେବେ ସଫଳ ହେବ ନାହିଁ। ଏଣୁ ବେଦାନ୍ତ ନିୟମଗିରି ଖଣି ଖନନର ସ୍ୱପ୍ନ ଦେଖିବା ବନ୍ଦ କରୁ ବୋଲି ଚେତାବନୀ ଦେଇଛନ୍ତି ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା। ସେହିପରି ସରକାର ଗୋଟିଏ ପଟେ ଆଦିମ ଜନଜାତି ଓ ଦୁର୍ବଳ ଜନଗୋଷ୍ଠୀ ଭାବେ ଘୋଷଣା କରି ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ବୋଲି କୁହାଯାଉଛି ଅନ୍ୟପଟେ ଏହି ଜନଜାତି ଗୋଷ୍ଠୀଙ୍କୁ ଶୋଷଣ କରିବାକୁ ବହୁଦେଶୀୟ କମ୍ପାନୀ ଗୁଡ଼ିକୁ ପ୍ରଶୟ ଦିଆଯାଉଛି। ଆଦିବାସୀ ବହୁଳ ଏ ଅଞ୍ଚଳରେ ସମ୍ବିଧାନର ପଞ୍ଚମ ଓ ଷଷ୍ଠ ସିଡ୍ୟୁଲ ଲାଗୁ କରିବା ସହିତ ପେସା ଆଇନକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଗ୍ରାମସଭା ଜରିଆରେ ନିୟମଗିରି ପର୍ବତ ଉପରେ ରହୁଥିବା ଆଦିବାସୀମାନେ ନିୟମଗିରି ଖଣି ଖନନକୁ ବିରୋଧ କରି ମତ ରଖିଥିଲେ। ଏହାସତ୍ୱେ କମ୍ପାନୀ ଖଣି ହାତେଇବାକୁ ହୀନ ଉଦ୍ୟମ କରିବା ହାସ୍ୟାସ୍ପଦ ବୋଲି ଆଜି ଗ୍ରୀନ କଳାହାଣ୍ଡି ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଗ୍ରୀନ କଳାହାଣ୍ଡିର ଅଧ୍ୟକ୍ଷ ସିଦ୍ଧାର୍ଥ ନାୟକ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ନାୟକ, ଗ୍ରୀନ କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ସଭାପତି କର୍ଣ୍ଣ ସାହୁ, ଯୁବ ସଭାପତି ଭାସ୍କର ଚନ୍ଦନ, ବରିଷ୍ଠ କର୍ମକର୍ତ୍ତା ମନୋଜ କୁମାର ରାଉତ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।