Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟଙ୍କୁ ମିଳିଲା ୨ ଜଜ୍, ଓକିଲରୁ ସିଧାସଳଖ ଜଜ୍ ହେଲେ ବିଶ୍ଵନାଥନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଉ ୨ ଜଜଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ କେଭି ବିଶ୍ଵନାଥନଙ୍କୁ ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି। ଏହି ଦୁଇ ଜଜଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପଦ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ମୋଟ୍ ଜଜ ସଂଖ୍ୟା ୩୪। ଏଥିରୁ ୨ଟି ପଦ ଖାଲି ଥିଲା। ଉପରୋକ୍ତ ୨ ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ମେ ୧୬ରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଆଉ କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନେଇ ସୁପାରିସ ଉପରେ ଗତକାଲି ମୋହର ମାରିଥିଲେ।

କେଭି ବିଶ୍ଵନାଥନ ୨୦୩୧ ମେ ୨୫ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ଜଜ୍ ରହିବେ। ଜଷ୍ଟିସ ଜେବି ପାଦରିଓ୍ଵାଲା ୨୦୩୦ ଅଗଷ୍ଟ ୧୧ରେ ଅବସର ନେବା ପରେ ବିଶ୍ଵନାଥନ ଦେଶର ପ୍ରଧାନ ବିଚାରପତି ହେବେ। ବିଶ୍ଵନାଥନ ସୁପ୍ରିମକୋର୍ଟ ଇତିହାସରେ ଏମିତି ୧୦ମ ଜଜ ଯିଏ ସିଧାସଳଖ ଆଇନଜୀବୀରୁ ସର୍ବୋଚ୍ଚ ନ୍ୟାୟାଳୟର ଜଜ୍ ହୋଇଛନ୍ତି। କେବଳ ଏତିକି ନୁହେଁ ଓକିଲରୁ ସିଧା ଜଜ୍ ହେବା ପରେ ପ୍ରଧାନ ବିଚାରପତି ହେବାରେ ଦେଶର ଚତୁର୍ଥ ବ୍ୟକ୍ତି ହେବେ। ଏହିପରି ବିଶ୍ଵନାଥନଙ୍କ ନିଯୁକ୍ତିରେ ଅନେକ ରେକର୍ଡ ହେବାକୁ ଯାଉଛି। ତାଙ୍କ ପୂର୍ବରୁ ଜଷ୍ଟିସ ଏସଏମ ସିକରୀ, ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ପିଏସ ନରସିମାହ ମଧ୍ୟ ଓକିଲ ପେଶାରୁ ସିଧାସଳଖ ଜଜ୍ ହୋଇଥିଲେ ଏବଂ ପ୍ରଧାନ ବିଚାରପତି ପଦ ସମ୍ଭାଳିଥିଲେ।

କେଭି ବିଶ୍ଵନାଥନ ଅତିରିକ୍ତ ସଲିସିଟର ଜେନେରାଲ ଦାୟିତ୍ଵ ତୁଲାଇ ସାରିଛନ୍ତି। ସେ ୩୦ ବର୍ଷ ପର୍ଯ୍ୟନ୍ତ ଓକିଲାତି ପେଶାରେ ଜଡ଼ିତ ଅଛନ୍ତି। ଏହି ସମୟରେ ସେ ଅନେକ ହାଇ ପ୍ରୋଫାଇଲ୍ କେସ୍ ଲଢିଛନ୍ତି। ଦେଶର ଆଟର୍ଣ୍ଣି ଜେନେରାଲ ଥିବା କେକେ ଭେନୁଗୋପାଳଙ୍କ ସହ କାମ କରିଛନ୍ତି। ସୁପ୍ରିମକୋର୍ଟ ୨୦୦୯ ଏପ୍ରିଲରେ କେଭି ବିଶ୍ଵନାଥନଙ୍କୁ ସିନିୟର ଆଡଭୋକେଟର ମାନ୍ୟତା ଦେଇଥିଲେ। ଅନ୍ୟପକ୍ଷେ ଜଷ୍ଟିସ ପ୍ରଶାନ୍ତ କୁମାର ଆନ୍ଦ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ପଦୋନ୍ନତି ମିଳିବା ପରେ ବର୍ତ୍ତମାନ ସେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ୨୦୨୧ ଅକ୍ଟୋବରରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଛତିଶଗଡ଼ରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାମ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ