ବିଜେପି ବନାମ ବିଜେଡି: କାହାର ରାଜେନ୍ଦ୍ର ଢୋଲକିଆ, ଦ୍ବନ୍ଦରେ ଭୋଟର…

ନୂଆପଡା: ନୂଆପଡା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରାର୍ଥୀ ମାନଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଦଳ ନିଜ ନିଜର ପ୍ରାର୍ଥୀ ମାନଙ୍କର ପ୍ରଚାର ପ୍ରସାର ଜୋରଦାର କରିବାରେ ଲାଗିଛନ୍ତି। କେଉଁ ଦଳ ସଭା ସମିତି କରି ଭୋଟ ମାଗୁଛି ତ ଆଉ କେଉଁ ଦଳ ରୋଡ୍ ଶୋ’ କରି ଭୋଟର ମାନଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ନିର୍ବାଚନୀ ପ୍ରଚାର ମଧ୍ୟରେ ଭୋଟରଙ୍କ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ନିର୍ବାଚନୀ ପ୍ରଚାରରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ଦୁଇ ଦଳର ପ୍ରଚାର ହେଉଛି। ଏହି ପରିସ୍ଥିତିରେ ଭୋଟରଙ୍କ ମନରେ ଏକ ଦ୍ଵନ୍ଦ ସୃଷ୍ଟି ହେବା ସ୍ୱାଭାବିକ।
ସେପଟେ ଜାତୀୟ କଂଗ୍ରେସ ଦଳ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଜୋରଦାର ଆରମ୍ଭ କରିବାରେ ଲାଗିଛି। ପୂର୍ବରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟୀ ହୋଇଥିବାରୁ ସେହି ଅନୁସାରେ ତାଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେପିରେ ମିଶି ପ୍ରାର୍ଥୀ ହେବା ପରେ ବିଜେଡିର ସବୁ ଅଙ୍କ ଟିକେ ଭୁଲ ହୋଇଯାଇଥିଲା। ଜୟ ପ୍ରାର୍ଥୀ ହେବା ପରେ ଢୋଲକିଆଙ୍କ ଅଧିକାଂଶ ସମର୍ଥକ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ବିଜେପିରେ ପୂର୍ବରୁ ଥିବା ପୁରୁଖା କାର୍ଯ୍ୟକର୍ତ୍ତା ଜୟଙ୍କୁ ସହଜରେ ଗ୍ରହଣ କରୁ ନ ଥିବା ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଶୁଣିବାକୁ ମିଳୁଛି ଯେ ଜୟ ଖରିଆର ରୋଡ୍ ନିଜ ବାସଭବନରେ ଥାଇ ସବୁ କାର୍ଯ୍ୟ କରିବା ସହ ମିଶ୍ରଣ ପର୍ବ କରୁଛନ୍ତି।
କିନ୍ତୁ ବିଜେପିର ପୁରୁଖା କର୍ମକର୍ତ୍ତା ଜିଲ୍ଲା କାର୍ଯ୍ୟାଳୟରେ ଥାଇ ସମସ୍ତ କାର୍ଯ୍ୟ କରୁଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କଲା ପରେ ଅନ୍ୟ ଦଳର ସମର୍ଥକମାନେ ଏହି ଦୁଇ ଦଳ ଆଡକୁ ଢଳିବାରେ ଲାଗିଥିଲେ। ଏହାକୁ ଦେଖି ରାଜନୈତିକ ସମୀକ୍ଷକ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ମତ ଦେଇଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥପତ୍ର ଦାଖଲ କରିବା ସମୟରେ ଦଳର ହେଭିୱେଟ ନେତା ଆସି ନୂଆପଡ଼ାରେ ଡେରା ପକାଇବା ପରଠାରୁ ରାଜନୀତି ଦୃଶ୍ୟପଟ ବଦଳିଯାଇଛି। ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ସ୍ବର୍ଗତ ଢୋଲକିଆଙ୍କ ନାମରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୟ ତାଙ୍କ ବାପାଙ୍କ ନାମ ଧରି ପ୍ରଚାର କରୁଥିବା ବେଳେ ବିଜେଡି ସ୍ବର୍ଗତ ଢୋଲକିଆ ଜିଲ୍ଲାର ବିକାଶ କରିଥିବା କହି ପ୍ରଚାର କରୁଛନ୍ତି। ବର୍ତ୍ତମାନ ଉଭୟ ଦଳ ଢୋଲକିଆଙ୍କ ନାମ ନେଉଥିବାରୁ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।