ସାଂଘାତିକ ଅଭିଯୋଗ କଲା କଂଗ୍ରେସ; ଆଉ ଥରେ ହେବ କି ନୂଆପଡ଼ା ଉପନିର୍ବାଚନ, କଂଗ୍ରେସ ବଟନ ମାରିଲେ ବିଜେପିକୁ ଯାଉଛି ଭୋଟ
ଭୁବନେଶର,୧୨।୧୧: ରାଜ୍ୟରେ ନୂଆପଡା ଉପନିର୍ବାଚନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି | କାଲି ନୂଆପଡା ଉପନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା | ତେବେ ଏହି ଉପନିର୍ବାଚନରେ ଏକ ସାଙ୍ଘାତିକ ଅଭିଯୋଗ ଆସିଛି | ଏହି ପର୍ଯ୍ୟାୟରେ ଭୋଟ ଚୋରି ହେବାର ଅଭିଯୋଗ ଆଣିଛି କଂଗ୍ରେସ।
ଏହି ଅବସରରେ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଖବରଦାତାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ୨୬ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ଉଭୟ ବିଜେପି ଓ ବିଜେଡି ମିଛ ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖିଛନ୍ତି। ଯାହାର ଫଳ ସ୍ବରୂପ ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ବିଜେପି ଦଳ ପ୍ରତି ଲୋକଙ୍କ ସମର୍ଥନ ମିଳୁନାହିଁ | ଏହାଦ୍ୱାରା ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ଲୋକ ସମର୍ଥନକୁ ଦେଖି ଶାସକ ବିଜେପି ଦଳ ବଳ ଓ କୌଶଳ ଲଗାଇ ଅନୈତିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି।
ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନର ପ୍ରଥମ ପର୍ଯ୍ୟାୟ ଚାଲିଥିବା ସମୟରେ ଡୁମେରବାହାଲର ୩୩୯ ନମ୍ବର ବୁଥରେ ନିଜର ଭୋଟ ସଂଖ୍ୟା ବଢାଇବା ପାଇଁ ବିଜେପି ଭୋଟର ମାନଙ୍କ ମଧ୍ୟରେ ଟଙ୍କା ବଣ୍ଟା ଯାଉଥିଲା। ସେହି ସମୟରେ କଂଗ୍ରେସର ଜଣେ କର୍ମୀଙ୍କ ସ୍ତ୍ରୀ ଅଭିଯୋଗ କରିବାରୁ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ନିର୍ବାଚନ ନୀରବ ଅବଧି ସମୟ ପୂର୍ବରୁ ବାହାର ଜିଲ୍ଲାର ରାଜନୈତିକ ବ୍ୟକ୍ତି ଯିଏ କି ଜିଲ୍ଲା ବାହାରୁ ଆସିଥିଲେ ସମସ୍ତଙ୍କୁ ବାହାର କରିଦିଆଗଲା। କିନ୍ତୁ ବିଜେପିର ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, କର୍ମକର୍ତ୍ତାମାନେ ସେମାନେ ନିର୍ବାଚନମଣ୍ଡଳୀ ବୁଲିଲେ, ଅବାଧରେ ଟଙ୍କା ବାଣ୍ଟିଲେ। ୟେ ତ ରହିଲା ଗୋଟିଏ ଅଭିଯୋଗ ଦ୍ୱିତୀୟ ଅଭିଯୋଗରେ କଂଗ୍ରେସ କହିଛି ଯେ ଇଭିଏମ ମେଶିନରେ କଂଗ୍ରେସ ବଟମ ଚିପିଲେ ବିଜେପିର ଲାଇଟ ଜଳୁଛି | ଏହାର ଅର୍ଥ ଯେ କଂଗ୍ରେସକୁ ଭୋଟ ଦେଲେ ବିଜେପିକୁ ଯାଉଛି। ଯାହା କି ୨୫୦ ନମ୍ବରର ବୁଥରେ ପ୍ରମାଣିତ ହୋଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପ୍ରଶାସନ ଉଭୟ ଏହା ଦେଖି ମଧ୍ୟ ନିରବ ରହିଛନ୍ତି |
ବିଜେପି ଦଳୀୟ କର୍ମୀ ଲୋକମାନଙ୍କୁ ବିଜେପି ଚିହ୍ନ ଲଗା ଟ୍ରାକ୍ଟରରେ ବୁଥ ମଧ୍ୟକୁ ଆଣୁଛନ୍ତି। ଯାହାକି ନିର୍ବାଚନ ଆଦର୍ଶ ଆଚରଣକୁ ଉଲଂଘନ କରୁଛି। ଜିତମିତ୍ର ହାଇସ୍କୁଲରେ ଜଣେ ମହିଳା ଭୋଟ ଦେଇନପାରି ଫେରିଛନ୍ତି । କାରଣ ତାଙ୍କ ଭୋଟ ଆଉ କିଏ ଦେଇଦେଇଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ବୁଥ ମଧ୍ୟରେ ମୋଦି, ମୁଖ୍ୟମନ୍ତ୍ରୀ, ଏବଂ ବିଜେପି ପ୍ରାର୍ଥୀ ଫଟୋ ଥିବା ଚିରୁକୁଟି ବଣ୍ଟା ଯାଉଛି। ଯଦି ସରକାରୀ ଅଫିସରଙ୍କ ସହାୟତାରେ ସବୁ କ୍ଷେତ୍ରରେ ବିଜେପି ଦଳ ଭୋଟ ଚୋରି କରୁଛି କିମ୍ବା ରାଗିଂ କରୁଛି ତେବେ ତୁରନ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ| ପୁନର୍ବାର ନିର୍ବାଚନ ହେଉ ବୋଲି କଂଗ୍ରେସ ଦାବି କରୁଛି ବୋଲି ଡ଼ ମହାପାତ୍ର କହିଛନ୍ତି ।

