ଲେବାନନ୍ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍; ୧୩ ମୃତ, ଅନେକ ଆହତ
ନୂଆଦିଲ୍ଲୀ, ୨୦|୧୧: ଲେବାନନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି | ଦେଶର ଦକ୍ଷିଣ ଭାଗରେ ଏନ୍ ଏଲ୍ ହିଲ୍ୱେରେ ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ହୋଇଛି | ଏହି ଆକ୍ରମଣ ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହେବା ସହିତ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି | ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କଲା ମିସାଇଲ ଏବଂ ଡ୍ରୋନ୍ । ଇସ୍ରାଏଲ ପକ୍ଷରୁ ଏହା ଏକ ଭୟଙ୍କର ଆକ୍ରମଣ ଥିଲା | ପୂର୍ବରୁ ହେଜବୋଲ୍ଲା ସହ ଯୁଦ୍ଧ ବନ୍ଦ ହେବାପରେ ଏହା ଲେବାନନ୍ରେ ଇସ୍ରାଏଲର ଆଉ ଏକ ଭୟଙ୍କର ଆକ୍ରମଣ ଥିଲା । ଦକ୍ଷିଣ ବନ୍ଦର ସିଡନ ସହର ନିକଟରେ ଥିବା ଏକ ହମାସ ତାଲିମ ଶିବିରକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି | ଶରଣାର୍ଥୀ ଶିବିରରେ ଆତଙ୍କବାଦୀ ଥିବା ଇସ୍ରାଏଲ ଦାବି କରିଛି ସେପଟେ ହମାସ ଏହାକୁ ଖଣ୍ଡନ କରିଛି ।
ସୂଚନା ଅନୁସାରେ, ଇସ୍ରାଏଲର ସେନା ବାହିନୀ ଏବଂ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଭଳି ଅପରାଧିକ ଆକ୍ରମଣ କରିବାକୁ ଏହି ପରିସରକୁ ହମାସ ଆତଙ୍କବାଦୀମାନେ ତାଲିମ ପାଇଁ ବ୍ୟବହାର କରୁଛନ୍ତି। ତେଣୁ ଏହାକୁ ଟାର୍ଗେଟ୍ କରାଯାଇଛି ବୋଲି ଆଇଡିଏଫ୍ ତାର ଏକ୍ସରେ ପୋଷ୍ଟ୍ରେ କହିଛି। ଯଦି ଏଭଳି ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ ନ କରାଯାଏ ତେବେ ଆଗକୁ ମଧ୍ୟ ଲେବାନନ୍ରେ ଆକ୍ରମଣ ଜାରି ରହିବ ବୋଲି କୁହାଯାଇଛି।
ଅନ୍ୟପଟେ ହମାସ କହିଛି ଯେ, ଇସ୍ରାଏଲ ବାରମ୍ବାର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ଆସୁଛି |ସେମାନେ ଶରଣାର୍ଥୀ ଶିବିରରେ ହମାସର ତାଲିମ କେନ୍ଦ୍ର ଥିବା କହୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ମିଛ ଅଟେ | ବାସ୍ତବରେ ଇସ୍ରାଏଲର ଆକ୍ରମଣ କରିବାର ଉଦ୍ଦେଶ୍ୟ ରହିଛି | ଆଭିମୁଖ୍ୟ ଆପଣାଇଛି । ହମାସ ଆହୁରି କହିଛି ଯେ, ଷ୍ଟ୍ରାଇକ୍ ଯେଉଁଠି ହୋଇଛି ତାହା ଏକ ଖେଳ ପଡିଆ ଅଟେ । ଏଠାରେ ଅନେକ ଶରଣାର୍ଥୀ ମାନେ ରହୁଥିଲେ । ଯାହାକୁ ଇସ୍ରାଏଲ ଆକ୍ରମଣ କରି ସମ୍ପୂର୍ଣ୍ଣ ଭାବେ କ୍ଷତି ପହଞ୍ଚାଇଛି |

