ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚରୁ ଅକ୍ଷର ପଟେଲ ବାଦ; କ୍ରିକେଟପ୍ରେମୀଙ୍କ ମନରେ ଅସନ୍ତୋଷ
ନୂଆଦିଲ୍ଲୀ, ୨୫ |୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ କ୍ରିକେଟ ଖେଳିବା ପାଇଁ ଦଳ ଚୟନ ହୋଇ ସାରିଛି | ରବିବାର ଦିନ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି | କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘୋଷଣା ହୋଇଥିବା ଦଳରେ ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ। ଏହି ଘଟଣାରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ସେମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି | ଭାରତକୁ ଚମ୍ପିଆନ୍ସି ଟ୍ରଫି ଜିତାଇବାରେ ଅକ୍ଷରଙ୍କ ବଡ ଭୂମିକା ଥିଲାବେଳେ ତାଙ୍କୁ ଦଳରେ ସାମିଲ ନ କରିବା ନିଷ୍ପତ୍ତିକୁ କ୍ରିକେଟପ୍ରେମୀ କଡା ସମାଲୋଚନା କରିଛନ୍ତି |
ଦଳରେ କୁଲଦୀପ ଯାଦବ, ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଥିବା ବେଳେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଷର ପଟେଲ ଦିନିକିଆ ମ୍ୟାଚ ଖେଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ୍ ଦିଆଯାଇଛି।
ଏହି ଘଟଣା ପରେ କ୍ରିକେଟପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି|ସେମାନେ ଏକ୍ସରେ ଦଳ ଚୟନ କରିଥିବା ଅଧିକାରୀ ମାନଙ୍କ ବିରୋଧରେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି। ଜଣେ ଲେଖିଛନ୍ତି ଯେ, ଅକ୍ଷର ଦିନିକିଆ ଦଳରୁ ବାଦ୍ପଡ଼ିବା ଅତ୍ୟନ୍ତ ଆଶ୍ଚର୍ଯ୍ୟକର। ଆଉ ଜଣେ ପ୍ରଶ୍ନ କରିଛନ୍ତି, ଅକ୍ଷର କ’ଣ ତ୍ରୁଟି କଲେ ଯେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରୁ ବାଦ୍ ଦିଆଯାଇଛି? ଆଉ ଜଣେ ଥଟ୍ଟାକରି ଲେଖିଛନ୍ତି, ଅକ୍ଷରଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି। କାରଣ ସେ ଦଳକୁ କୋଲକାତା ଟେଷ୍ଟ ଜିତାଇ ପାରିଲେ ନାହିଁ। ଆଉ ଜଣେ ଲେଖିଛନ୍ତି, ମନୋନୟନ କମିଟିକୁ ଅକ୍ଷର ଓ ଜାଡ଼େଜା କହି ଦେଇଛନ୍ତି- ଗୋଟିଏ ଦିନିକିଆ ମ୍ୟାଚ ତୋର, ଆଉ ଗୋଟିଏ ମ୍ୟାଚ ମୋର। ଆଉ ଜଣେ ଲେଖିଛନ୍ତି, ଦିନକ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେବେ। ହେଲେ ଆଜି ଅକ୍ଷରଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ଆସିଗଲେ।
ତେବେ ଏହା ସ୍ପଷ୍ଟ ଭାବେ ଜଣା ପଡ଼ୁନାହିଁ ଯେ, ଅକ୍ଷରଙ୍କୁ ଦିନିକିଆ ମ୍ୟାଚରୁ ବାଦ୍ ଦିଆଯାଇଛି ନା ତାଙ୍କୁ ବିଶ୍ରାମ ଦିଆଯାଇଛି।

