ମାଡି ଆସୁଛି ଇଥିଓପିଆ ଭୋଲକାନ! ଆଗ୍ନେୟଗିରି ଉଦଗିରଣରୁ ବାହାରୁଛି ଧୂଆଁ, ଭାରତରେ ବିମାନ ସେବା ପ୍ରଭାବିତ
ନୂଆଦିଲ୍ଲୀ, ୨୫|୧୧: ଭାରତ ଏବେ ଏକ ବଡ ବିପଦର ସାମ୍ନା କରିବାକୁ ଯାଉଛି | ଇଥିଓପିଆର ହାଇଲି ଗୁବି ଆଗ୍ନେୟଗିରିରୁ ଆଗ୍ନେୟ ଉଦଗିରଣ ହୋଇଛି | ଯାହା ଭାରତ ଉପରେ ବି ଭୟଙ୍କର ପ୍ରଭାବ ପକାଇପାରେ | ଏବେ ଭାରତ ମୁହାଁ ହୋଇଛି ଇଥିଓପିଆ ଭୋଲକାନୋ (Volcano Eruption)। ତେବେ ଏହି ଆଗ୍ନେୟଗିରି ଉଦଗିରଣରୁ ବାହାରୁଥିବା ଧୂଆଁ ଏବେ ଭାରତ ମୁହାଁ ହେବାରେ ଲାଗିଛି। ଯେଉଁଥିପାଇଁ ବହୁ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୧୨ ହଜାର ବର୍ଷ ପରେ ଇଥିଓପିଆର ହାଇଲି ଗୁବି ଆଗ୍ନେୟଗିରିରୁ ଏହି ଆଗ୍ନେୟ ଉଦଗିରଣ ହୋଇଛି।
ଏହି ଭୋଲକାନୋରୁ ବାହାରୁଥିବା ପାଉଁଶ ଓ ଧୂଆଁ ଯୋଗୁଁ ୟେମେନ ଓ ଓମାନ ଦେଶ ଅତ୍ୟଧିକ ପ୍ରଭାବିତ ହୋଇଛି। ଏହାପରେ ପାଉଁଶ ଧୂଆଁ ଆରବ ସାଗର ଦେଇ ଉତ୍ତର ଭାରତ ଆଡ଼କୁ ମାଡ଼ି ଆସୁଛି। ଏହି ଧୂଆଁ ପାକିସ୍ତାନକୁ ମଧ୍ୟ ପ୍ରଭାବିତ କରିବ। ବର୍ତ୍ତମାନ ଏହି ପାଉଁଶ ବାଦଲ ଉତ୍ତର ଭାରତ ଦେଇ ପ୍ରବାହିତ ହେଉଛି। ପାଉଁଶ ସ୍ତର ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ଗତି କରୁଛି। ଯାହା ଭୂପୃଷ୍ଠରୁ ୨୫,୦୦୦ରୁ ୪୫,୦୦୦ ଫୁଟ ଉଚ୍ଚତାରେ ରହିଛି।
ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ, ଏହା ଗୁଜରାଟ (ପଶ୍ଚିମ), ରାଜସ୍ଥାନ, ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ଉତ୍ତର-ପଶ୍ଚିମ ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ତରାଇ ବେଲ୍ଟ, ହିମାଳୟ ଦେଇ ପ୍ରବାହିତ ହେବ। ଏବଂ ଶେଷରେ ନେପାଳର ପାହାଡ଼ଦେଶରେ ପ୍ରବେଶ କରି ଚୀନକୁ ଚାଲିଯିବ |
ତେବେ ରବିବାର ସକାଳେ ଏହି ଭୋଲକାନୋରୁ ଆଗ୍ନେୟ ଉଦଗିରଣ ହୋଇଥିବାର ସୂଚନା ରହିଛି। ଏହି ଭୋଲକାନୋରୁ ବାହାରୁଥିବା ପାଉଁଶ ଧୂଆଁ ଯୋଗୁଁ ଭାରତରେ ବିମାନ ସେବା ଉପରେ ପ୍ରଭାବ ପଡିଛି। ପାଉଁଶ ଧୂଆଁ ଯୋଗୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ଆହୁରି ଅଧିକ ବଢ଼ିଯାଇଛି। ତେବେ ଗତ କିଛିଦିନ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ଅତ୍ୟଧିକ ରହିଥିଲା | ପ୍ରଦୂଷଣକୁ ନଜରରେ ରଖି ସରକାର କମ୍ପାନୀ କର୍ମଚାରୀ ମାନଙ୍କୁ ଘରୁ କାମ କରାଇବାର ନିର୍ଦ୍ଦେଶ ଦେଇଛନ୍ତି | ଏବେ ଏହି ଭୋଲକାନୋର ଧୂଆଁକୁ ଦୃଷ୍ଟିରେ ରଖି ପାଉଁଶ ପ୍ରଭାବିତ ଅଞ୍ଚଳ ଦେଇ ଉଡ଼ାଣ ନଭରିବାକୁ DGCA ସମସ୍ତ ଘରୋଇ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଜାରି କରିଛି।

