ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ; ଭାରତ ଜାରି କଲା ନୋଟାମ୍, ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଉଡିବନି ବିମାନ
ନୂଆଦିଲ୍ଲୀ, ୨୬|୧୧: ଆଗାମୀ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ଚଳାଚଳ। ଉଡିବନି କୌଣସି ବି ବିମାନ। ଏଥିପାଇଁ ଜାରି ହୋଇଛି ନୋଟାମ୍ । ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି ଭାରତ। ଯାହା ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ପରୀକ୍ଷଣ ହେବ । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ସମୁଦ୍ରର କିଛି ଅଞ୍ଚଳରେ ସତର୍କ ସୂଚନା ବା ନୋଟାମ୍ ଜାରି କରାଯାଇଛି । ଡିସେମ୍ବର ୬ରୁ ୮ ମଧ୍ୟରେ ଏହି ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।
ଗତ କିଛିଦିନ ପୂର୍ବରୁ ନଭେମ୍ବର ୧୩ରୁ ୧୭ ମଧ୍ୟରେ ଆରବ ସାଗରର କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଅକ୍ଟୋବର ୩୦ ଏବଂ ନଭେମ୍ବର ୧୦ ମଧ୍ୟରେ ଅପେରସନ ତ୍ରିଶୂଳ ପାଇଁ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା। ଏଥିପାଇଁ କିଛି ବିମାନର ରୁଟକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଏବଂ ମୁମ୍ବାଇରୁ ଉଡୁଥିବା ଅନେକ ବିମାନ ମଧ୍ୟ ନିଜ ରୁଟରେ ପରିବର୍ତ୍ତନ କରିଥିଲେ ।
ରିପୋର୍ଟ ଅନୁସାରେ, ଯେଉଁଦିନ ମିସାଇଲ ପରୀକ୍ଷଣ ହେବ ତା ପୂର୍ବରୁ ପ୍ରାୟ ୧୪୮୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯିବାର ରହିଛି । ଏହି ସମୟସୀମା ଡିସେମ୍ବର ୬ ଦିନ ୧୨ଟା ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଦିନ ୩ଟା ୩୦ ଯାଏଁ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ”ପାଇଲଟ ଏବଂ ଏୟାରଲାଇନ ବିଭିନ୍ନ ରୁଟକୁ ପରିବର୍ତ୍ତନ କରିପାରନ୍ତି । ସାଟେଲାଇଟ୍ ବେସଡ୍ ନାଭିଗେସନ ସିଷ୍ଟମ ଅନୁସାରେ ସେମାନେ ବିମାନର ଦିଗକୁ ପରିବର୍ତ୍ତନ କରିପାରିବେ। ଅପେସରନ ତ୍ରିଶୂଳରେ ସମୁଦ୍ରପତ୍ତନରୁ ପ୍ରାୟ ୨୮ ହଜାର ଫୁଟ ଉଚ୍ଚତାର ଅଞ୍ଚଳକୁ ଭାରତ ରିଜର୍ଭ କରିଦେଇଥିଲା । ଯାହା ସାର୍ କ୍ରିକ୍ ଅଞ୍ଚଳ ନିକଟରେ ଥିଲା । ତେବେ ଏହି ଅଞ୍ଚଳ ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମା ବିବାଦ ସୃଷ୍ଟି କରି ଆସିଛି । ଯାହାକୁ ଦୃଷ୍ଟିରେ ରଖି ବିମାନ ଉଡାଣ ଉପରେ ନୋଟାମ୍ ଜାରି ହୋଇଛି ।”
ତେବେ ପ୍ରଥମେ ଜାଣି ରଖନ୍ତୁ ଏ ନୋଟାମ୍ ର ଅର୍ଥ କଣ ?
ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ଅଧିକାରୀଙ୍କ କହିବା ଅନୁସାରେ, ନୋଟାମ୍ ହେଉଛି ଏକ ସୂଚନା ବା ନୋଟିସ । ଯେଉଁଥିରେ ଟେଲି ଯୋଗାଯୋଗ ବାବଦରେ ତଥ୍ୟ ରହିଥାଏ । ବିଭିନ୍ନ ଆକାଶମାର୍ଗରେ ଚଳାଚଳ କରୁଥିବା ବିମାନ ଏବଂ ଏୟାରଲାଇନ୍ସ ପାଇଁ ସମ୍ଭାବ୍ୟ ସତର୍କ ସୂଚନା ଦେବାକୁ ଏହାର ବ୍ୟବହାର କରାଯାଇଥାଏ। ତେବେ କେଉଁ ରୁଟରେ ବିମାନ ଗୁଡିକର ପରିବର୍ତ୍ତନ କରାଯିବ ସେ ବାବଦରେ କିଛି ସ୍ପଷ୍ଟ ସୂଚନା ନାହିଁ | ଅନ୍ୟପଟେ ଭାରତ ଏହି ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବାକୁ ଯାଉଥିବାବେଳେ ଦେଶବାସୀ ନିଜର ଖୁସି ବ୍ୟକ୍ତ କରୁଛନ୍ତି।

