ଡିସେମ୍ବର ପହିଲାରୁ ବଦଳିଯିବ ଏହି ୫ ନିୟମ; କଣ ସେହି ସବୁ ନିୟମ ଜାଣନ୍ତୁ…
ନୂଆଦିଲ୍ଲୀ: ଆଉ ଚାରିଦିନ ପରେ ନଭେମ୍ବର ମାସ ଶେଷ ହେବାକୁ ଯାଉଛି | ଆରମ୍ଭ ହେବ ଡିସେମ୍ବର | ଡ଼ିସେମ୍ବର ମାସ ଅନେକ ଆର୍ଥିକ ପରିବର୍ତ୍ତନ ଆଣିବ ଯାହା ସିଧାସଳଖ ଆପଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ । ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ରହିଛି LPG ଗ୍ୟାସ ସିଲିଣ୍ଡର, ପେନସନ, ଟିକସ ଏବଂ ଇନ୍ଧନ ସହିତ ଜଡିତ ନିୟମ। ତେବେ ଡିସେମ୍ବର ପହିଲାରୁ କେଉଁ ସବୁ ପାଞ୍ଚଟି ପ୍ରମୁଖ ନିୟମ ପରିବର୍ତ୍ତନ ହେଉଛି । ତାହା ବିଷୟରେ ଜାଣି ରଖନ୍ତୁ…
ପ୍ରଥମ ପରିବର୍ତ୍ତନ ହେଉଛି – LPG ଗ୍ୟାସ ସିଲିଣ୍ଡର ମୂଲ୍ୟ:
ସରକାର ପ୍ରାୟତଃ ମାସର ପ୍ରଥମ ତାରିଖରେ LPG ମୂଲ୍ୟ ସଂଶୋଧନ କରିଥାନ୍ତି | ଏହି ପରିବର୍ତ୍ତନ କମର୍ସିଆଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇଁ ପ୍ରଯୁଜ୍ୟ। ନଭେମ୍ବରରେ ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ପାଇଁ ମୂଲ୍ୟ ସଂଶୋଧନ କରିଥିଲେ । ନଭେମ୍ବର ପ୍ରଥମ ସପ୍ତାହରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬.୫୦ ଟଙ୍କା ହ୍ରାସ କରାଯାଇଥିଲା । ତେବେ ରନ୍ଧନ ଗ୍ୟାସରେ କୌଣସି ମୂଲ୍ୟ ପରିବର୍ତ୍ତନ କରାଯାଇ ନାହିଁ |
ଦ୍ୱିତୀୟ ପରିବର୍ତ୍ତନ – UPS ଶେଷ ତାରିଖ: ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ସ୍କିମ୍ (UPS) ବାଛିବା ପାଇଁ ଶେଷ ତାରିଖ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି । ଯାହା ପୂର୍ବରୁ ସେପ୍ଟେମ୍ବର ୩୦ତାରିଖ ରହିଥିଲା । ଯେକୌଣସି ସରକାରୀ କର୍ମଚାରୀ NPS ଏବଂ UPS ମଧ୍ୟରୁ ବିକଳ୍ପ ବାଛିପାରିବେ। ଯଦି ଜଣେ ସରକାରୀ କର୍ମଚାରୀ NPS ଏବଂ UPS ମଧ୍ୟରୁ ବାଛିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ନଭେମ୍ବର ୩୦ ତାରିଖ ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ । ଡିସେମ୍ବର ୧ ପରେ ଏହି ସୁଯୋଗ ଉପଲବ୍ଧ ନ ହୋଇପାରେ ।
ତୃତୀୟ ପରିବର୍ତ୍ତନ – ଲାଇଫ୍ ସାର୍ଟିଫିକେଟ୍ ଦାଖଲ: ବର୍ଷର ଅନ୍ତିମ ମାସରେ ପେନ୍ସନ ଲାଭ ପାଉଥିବା ବ୍ୟକ୍ତି ମାନଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡିଥାଏ | ତେଣୁ ନଭେମ୍ବର ୩୦ ତାରିଖ ହେଉଛି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ଶେଷ ଧାର୍ଯ୍ୟ ତାରିଖ । ଲାଇଫ୍ ସାର୍ଟିଫିକେଟ୍ ଦାଖଲ ନ କଲେ ପେନସନ୍ ଉପଭୋକ୍ତାଙ୍କ ପେନସନ୍ ସ୍ଥଗିତ ହୋଇଯାଇପାରେ |
ଚତୁର୍ଥ ପରିବର୍ତ୍ତନ – ଟିକସ ନିୟମ: ଯଦି ଆପଣଙ୍କର ଅକ୍ଟୋବରରେ TDS କଟାଯାଇଥିଲା, ତେବେ ଆପଣଙ୍କୁ ଧାରା 194-IA, 194-IB, 194M, ଏବଂ 194S ଅନୁଯାୟୀ ଏକ ବିବରଣୀ ଦାଖଲ କରିବାକୁ ପଡିବ । ବିବରଣୀ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩୦ । ଏହା ସହିତ, ଯେଉଁ ଟିକସଦାତାମାନଙ୍କୁ ଧାରା 92E ଅନୁଯାୟୀ ରିପୋର୍ଟ ଦାଖଲ କରିବାକୁ ପଡ଼େ, ସେମାନଙ୍କୁ ମଧ୍ୟ ନଭେମ୍ବର ୩୦ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ।
ପଞ୍ଚମ ପରିବର୍ତ୍ତନ – CNG-PNG ଏବଂ ଜେଟ୍ ଇନ୍ଧନ: ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ LPG, CNG, PNG ଏବଂ ATF ର ମୂଲ୍ୟ ସଂଶୋଧନ କରନ୍ତି। ଏହି ମାସରେ LPG, CNG, PNG ଏବଂ ଜେଟ୍ ଇନ୍ଧନ (AFT) ର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ।

