ମହିଳା ହଷ୍ଟେଲ୍ରେ ପଶି ସ୍ତ୍ରୀର ତଣ୍ଟିକୁ ଦାଆରେ କାଟିଲା ନୃସଂଶ ସ୍ୱାମୀ ; ମୃତଦେହ ସହ ସେଲ୍ଫି ଉଠାଇ ହ୍ଵାଟ୍ସଆପ୍ ଷ୍ଟାଟସ୍ ରେ ରଖିଥିଲେ
ତାମିଲନାଡୁ,୧|୧୨: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି | ଏକ ମହିଳା ହଷ୍ଟେଲରେ ସ୍ତ୍ରୀକୁ ନୃସଂଶ ଭାବେ ହତ୍ୟା କରିଛି ସ୍ୱାମୀ | ସୂଚନା ଅନୁସାରେ, ସ୍ୱାମୀ ସ୍ତ୍ରୀ ଉଭୟ ଏକାଠି ନରହି ଅଲଗା ରହୁଥିଲେ | ସ୍ଵାମୀ ଘରେ ରହୁଥିଲା ବେଳେ ସ୍ତ୍ରୀ ଏକ ମହିଳା ହଷ୍ଟେଲରେ ରହୁଥିଲେ | କିନ୍ତୁ ସ୍ୱାମୀ ଜଣଙ୍କ ମହିଳା ହଷ୍ଟେଲରେ ରହୁଥିବା ସ୍ତ୍ରୀକୁ ଦେଖା କରିବାକୁ ଆସି ଏହି ହତ୍ୟାକାଣ୍ଡ ଘଟାଇଛି | ଘଟଣାକୁ ଅନେକ ତୀବ୍ର ନିନ୍ଦା କରିବା ସହିତ ମହିଳାଙ୍କ ପାଇଁ ତାମିଲନାଡ଼ୁ ଆଉ ସୁରକ୍ଷିତ ନୁହେଁ ବୋଲି ଅନେକ ଷ୍ଟାଲିନ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ପ୍ରତିବାଦ ବି ଆରମ୍ଭ କରିଛନ୍ତି |
ରବିବାର କୋଏମ୍ବାଟୁରର ଏକ ମହିଳା ହଷ୍ଟେଲ୍ ଭିତରେ ପଶି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ଵାମୀ । ମହିଳା ଜଣଙ୍କ ହେଉଛନ୍ତି ତିରୁନେଲଭେଲି ଅଞ୍ଚଳର ଶ୍ରୀପ୍ରିୟା । ସେ କୋଏମ୍ବାଟୁରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ସ୍ଵାମୀଙ୍କ ଠାରୁ ପୂର୍ବରୁ ଅଲଗା ହୋଇ ମହିଳା ହଷ୍ଟେଲରେ ରହୁଥିଲେ | ସୂଚନା ମୁତାବକ, ଶ୍ରୀପ୍ରିୟାଙ୍କ ସ୍ଵାମୀ ବାଲାମୁରୁଗାନ ରବିବାର ଦେଖା କରିବାକୁ ମଧ୍ୟାହ୍ନରେ ହଷ୍ଟେଲକୁ ଆସିଥିଲେ। ଏବଂ ପୂର୍ବରୁ ଯୋଜନା କରି ତାଙ୍କ ଡ୍ରେସ୍ ଭିତରେ ଧାରୁଆ ଦାଆକୁ ଲୁଚାଇ ରଖିଥିଲେ। ମହିଳା ହଷ୍ଟେଲ ଭିତରେ ଦୁହେଁ ଦେଖା କରିବା ପରେ ଦୁହିଁଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ଆରମ୍ଭ ହୋଇଥିଲା।
ପୋଲିସର ସୂଚନା ଅନୁସାରେ, “ଝଗଡ଼ା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ସ୍ୱାମୀ ବାଲାମୁରୁଗାନ ପୋଷାକରୁ ତୁରନ୍ତ ଦାଆ କାଢ଼ି ସ୍ତ୍ରୀକୁ ହଷ୍ଟେଲ୍ ଭିତରେ ହିଁ ଆକ୍ରମଣ କରିଥିଲା । ତଣ୍ଟିକୁ ଧାରୁଆ ଦାଆରେ କାଟିବା ପରେ ମୃତଦେହ ସହ ସେଲ୍ଫି ଉଠାଇ ହ୍ଵାଟ୍ସଆପ୍ ଷ୍ଟାଟସ୍ରେ ରଖିଥିଲା ସ୍ଵାମୀ ।”
ମହିଳା ହଷ୍ଟେଲ୍ ଭିତରେ ଜଘନ୍ୟ ହତ୍ୟାକାଣ୍ଡ ପରେ ହଷ୍ଟେଲରେ ରହୁଥିବା ଅନେକ ସ୍ତ୍ରୀଲୋକ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ସ୍ତ୍ରୀକୁ ମାରିବା ପରେ ଅବିଚଳିତ ଥିଲା ବାଲାମୁରୁଗାନ । ପୋଲିସ ଆସିବା ପର୍ଯ୍ୟନ୍ତ ସ୍ତ୍ରୀର ମୃତଦେହ ପାଖରେ ଜଗି ବସି ରହିଥିଲା। ପୋଲିସ ମହିଳାଙ୍କ ସ୍ୱାମୀ ବାଲାମୁରୁଗାନକୁ ଗିରଫ କରିବା ସହ ଦାଆକୁ ମଧ୍ୟ ଜବତ କରିଛି । ତଦନ୍ତର ପ୍ରାଥମିକ ପର୍ଯାୟରୁ ଜଣାପଡ଼ିଛି ଯେ, ବାଲାମୁରୁଗାନଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ ।
ତେବେ ମହିଳା ହଷ୍ଟେଲ୍ ଭିତରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ତାମିଲନାଡ଼ୁ ରାଜନୀତିକୁ ଦୋହଲାଇ ଦେଇଛି । ମହିଳା ସୁରକ୍ଷାକୁ ନେଇ ମୁହାଁମୁହିଁ ହୋଇଛନ୍ତି ନେତା । ଶାସକ ଡିଏମ୍କେକୁ ବିରୋଧୀ ଦଳ କଡା ସମାଲୋଚନା କରିବା ସହ ମହିଳା ବିରୋଧୀ ହିଂସା ପାଇଁ ଦାୟୀ କରିଛନ୍ତି । ଅନ୍ୟପଟେ ସରକାରୀ ଦଳ ଓ ପୋଲିସ କହିଛି, “ଏଭଳି ହତ୍ୟା ଜଘନ୍ୟ, ଯାହାକି ବ୍ୟକ୍ତିଗତ ଶତ୍ରୁତା ନେଇ ହୋଇଛି । ଦୋଷୀପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ସହିତ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ।”

