‘ଜ୍ଞାନବାପୀ ମସଜିଦ ଠାରୁ ମୁସଲିମ ଦୁରେଇ ରୁହନ୍ତୁ; ହିନ୍ଦୁଙ୍କୁ ଦିଅନ୍ତୁ ପୂଜାର ଅଧିକାର’: ଏଏସଆଇ ର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ
ନୂଆଦିଲ୍ଲୀ,୨|୧୨: ଜ୍ଞାନବାପୀ ମସଜିଦ ଠାରୁ ମୁସଲମାନମାନେ ଦୂରରେ ରୁହନ୍ତୁ । ମନ୍ଦିର-ମସଜିଦକୁ ଥିବା ବିବାଦକୁ ନେଇ ସଂଯମତା ରକ୍ଷା କରନ୍ତୁ | ଏହା କହିଛନ୍ତି ଏଏସଆଇ ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ । ରାମ ଜନ୍ମଭୂମି, ମଥୁରା ଏବଂ ଜ୍ଞାନବାପୀରେ ଚର୍ଚ୍ଚା ସବୁବେଳେ ଲାଗି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୁସଲିମମାନେ ସ୍ଵ ଇଚ୍ଛାରେ ଜ୍ଞାନବାପୀକୁ ହିନ୍ଦୁମାନଙ୍କୁ ଦେଇଦେବା ଦରକାର । ଏହାସହ ଅନ୍ୟ କିଛି ନୂଆ ଦାବି ନ କରିବାକୁ ସେ ହିନ୍ଦୁମାନଙ୍କୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେତେ ନୂଆ ନୂଆ ଦାବି ଆସିବ ସେତିକି ଅଧିକ ସମସ୍ୟା ଉପୁଜିବ | ଅଯୋଧ୍ୟା ପରେ ମଥୁରା ଏବଂ ଜ୍ଞାନବାପୀ ହିନ୍ଦୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେଉଁଭଳି ମୁସଲିମମାନଙ୍କ ପାଇଁ ମକ୍କା ଏବଂ ମଦିନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେଭଳି ହିନ୍ଦୁଙ୍କ ପାଇଁ ମଥୁରା ଏବଂ ଜ୍ଞାନବାପୀ ମଧ୍ୟ ଜରୁରୀ ।
ଅଯୋଧ୍ୟା ବିବାଦକୁ ନେଇ ସେ ପୁଣି କହିଛନ୍ତି ଯେ, ୧୯୭୬ରେ ବିବି ଲାଲଙ୍କ ନେତୃତ୍ୱରେ ବାବରି ମସଜିଦରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ମହମ୍ମଦ ନିଜେ ଏଥିରେ ସାମିଲ ଥିଲେ । କିନ୍ତୁ ଜଣେ କମ୍ୟୁନିଷ୍ଟ୍ ଐତିହାସିକଙ୍କ ପାଇଁ ବିବାଦ ଆରମ୍ଭ ହୋଇଥିଲା । ସେ ମୁସଲିମଙ୍କୁ ମସଜିଦ ତଳେ ମନ୍ଦିର ଥିବା ଦାବିକୁ ନ ମାନିବା ପାଇଁ ଉସକାଇଥିଲେ । ଅନେକ ମୁସଲିମ ପୂର୍ବରୁ ବିବାଦୀୟ ଅଞ୍ଚଳରେ ହିନ୍ଦୁଙ୍କୁ ପୂଜା ଅଧିକାର ଦେବା ସପକ୍ଷରେ ଥିଲେ । କିନ୍ତୁ କମ୍ୟୁନିଷ୍ଟ୍ ଐତିହାସିକ ମିଛ କହି ଧର୍ମୀୟ ସଦଭାବନାକୁ କ୍ଷୂର୍ଣ୍ଣ କରିବା ପାଇଁ ପ୍ରୟାସ କରିଥିଲେ ।
କେକେ ମହମ୍ମଦ ଆହୁରି କହିଛନ୍ତି ଯେ, ଐତିହାସିକ ଜଣଙ୍କ ଏମିତି ଅନେକ ମିଛ କହିଥିଲେ । ବାବରି ମସଜିଦକୁ ଖନନ କାର୍ଯ୍ୟ ଆରମ୍ଭ ବେଳେ ମନ୍ଦିରର ଅଂଶ ବାହାରିନଥିବା ସେ ମୁସଲିମ ମାନଙ୍କୁ କହିଥିଲେ। ତେଣୁ ବିବାଦ ଅଧିକ ତୀବ୍ର ରୂପ ନେଇଥିଲା| ଏବେ ଦେଶରେ ଥିବା ସମସ୍ତ ମନ୍ଦିର-ମସଜିଦ ବିବାଦକୁ ସୂଚାର ରୂପେ ସମ୍ପାଦନ ପାଇଁ ହିନ୍ଦୁ-ମୁସଲିମ ଏକତ୍ର ହେବା ଆବଶ୍ୟକ| ମଥୁରା ଏବଂ ଜ୍ଞାନବାପୀ ହିନ୍ଦୁଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମୁସଲିମମାନେ ଏହାକୁ ଛାଡିଦେବା ଦରକାର। ଏହି ତିନି ମନ୍ଦିର ବ୍ୟତୀତ ଅନ୍ୟ କେଉଁଠି ବିବାଦ ନାହିଁ। ନୂଆ ବିବାଦ ଆସିଲେ ଅଧିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

