ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ କରିବା ନାମରେ ବଡ ଲୁଟ୍; ଲୁଟିନେଲେ ୧୨ କୋଟି
ନୋଏଡା,(ଉତ୍ତରପ୍ରଦେଶ) ୫|୧୨ : ଦିନକୁ ଦିନ ସାଇବର ଅପରାଧ ଦ୍ରୁତ ଗତିରେ ମାଡିବାରେ ଲାଗିଛି | ରାଜ୍ୟ ହେଉ କିମ୍ବା ଦେଶ ଦିନକୁ କିଛି ନା କିଛି ସାଇବର ଅପରାଧ ଜନିତ କାର୍ଯ୍ୟକାଳପ ସମ୍ପର୍କିତ ଖବର ପ୍ରକାଶ ପାଉଛି | ସଚେତନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଆପଣାଉଥିବା ସତ୍ତ୍ୱେ ସାଇବର ଅପରାଧ କମିବାର ନାଁ ଧରୁନି | ଏମିତି ଏକ ଘଟଣା ଘଟିଛି ନୋଏଡାରେ | ନୋଏଡା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କଠାରୁ ୧୨ କୋଟି ଟଙ୍କା ଲୁଟିନେଇଛନ୍ତି ସାଇବର ଅପରାଧୀ । ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ କରିବା ନାମରେ ଏହି ଲୁଟ୍ ହୋଇଛି । ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ବୈଷୟିକ ପରାମର୍ଶଦାତା ଭାବେ କାମ କରନ୍ତି । ଅକ୍ଟୋବର ୧୭ରୁ ନଭେମ୍ବର ୨୫ ମଧ୍ୟରେ ତାଙ୍କଠାରୁ ୧୨ କୋଟି ଟଙ୍କା ଲୁଟ୍ ହୋଇଛି । ଏନେଇ ସେ ସାଇବର କ୍ରାଇମ୍ ଥାନାରେ ଏତଲା ଦେଇଛନ୍ତି ।
ନିଜ ପରିଚୟ ଗୋପନ ରଖି ବ୍ୟକ୍ତି ଜଣଙ୍କ କହିଛନ୍ତି, ସେୟାର ମାର୍କେଟରେ ପୁଞ୍ଜିନିବେଶ କରି ଅଧିକ ଲାଭ ପାଇବା ପାଇଁ ଜଣେ ଅଜଣା ମହିଳା ତାଙ୍କୁ ହ୍ବାଟ୍ସଆପ୍ ଜରିଆରେ ମେସେଜ୍ କରିଥିଲେ । ପରେ ତାଙ୍କୁ ଏକ ଗ୍ରୁପରେ ରଖି ଆପ୍ ଡାଉନଲୋଡ୍ କରିବାକୁ ଲିଙ୍କ୍ ଦିଆଯାଇଥିଲା । ପରେ ତାଙ୍କୁ ଆଉଏକ ଗ୍ରୁପ୍ରେ ରଖି ସାଇବର ଠକମାନେ ଦୈନିକ ଲାଭର ସ୍କ୍ରିନ ସଟ୍ ପଠାଇ ତାଙ୍କ ବିଶ୍ୱାସ ଜିତିଥିଲେ । ଲାଭରୁ ୧୫ ପ୍ରତିଶତ କମିସନ ନେବେ ବୋଲି ସାଇବର ଠକ ମାନେ କହିଥିଲେ । ପ୍ରଥମେ ୫୦ ହଜାର ଓ ପରେ ପ୍ରାୟ ୧୨ କୋଟି ଟଙ୍କା ୯ଟି କିସ୍ତିରେ ଜମା କରିଥିଲେ । ପରେ ଅଧିକ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଠକାମିର ଶିକାର ହେଉଥିବା ଜାଣିପାରିଲେ । ତେବେ ଏହା ପରେ ସାଇବର ପୋଲିସର ସାହାରା ନେଇଥିଲେ ଏବଂ ଏନେଇ ସାଇବର କ୍ରାଇମ୍ ପୁଲିସ ପୁରା ଘଟଣାର ତଦନ୍ତ କରୁଛି ।

