ଗୋଆର ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ; ଘଟଣା ପରେ କ୍ଲବର ମାଲିକ ଲୁଥ୍ରା ବ୍ରଦର୍ସ ଇଣ୍ଡିଗୋରେ ଫେରାର
ଗୋଆ,9|୧୨: ଗତ ଶନିବାର ବିଳମ୍ବିତ ରାତିରେ ଉତ୍ତର ଗୋଆର ଆରପୋରା ଗାଁରେ ଏକ ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା | ଯେଉଁଥିରେ ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାରଙ୍କ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା। ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ,“ଅତି କମରେ ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଥିରେ କ୍ଲବ୍ ର କିଛି କର୍ମଚାରୀଙ୍କ ସମେତ କିଛି ପର୍ଯ୍ୟଟକ ଏବଂ ଆଉ କିଛି ଲୋକଙ୍କ ମୃତ ହୋଇଥିବାର ସୂଚନା ରହିଛି|
ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଏହାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ସୁରକ୍ଷାକୁ ନେଇ ଶୀଘ୍ର ତଦନ୍ତ କରାଯିବ ଯଦି ଏଥିରେ କିଛି ଅବହେଳା ହୋଇଥିବାର ନଜର ଆସିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେବେ ପୋଲିସ ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜୋର ସୋରରେ ଆରମ୍ଭ କରିଥିବା ଜଣା ପଡିଛି | ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ । ହେଲେ କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡ଼ି ଚାଲି ଯାଇଛନ୍ତି ବୋଲି ଜଣା ପଡିଛି । ଇଣ୍ଡିଗୋ ବିମାନ ଯୋଗେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟକୁ ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ତେବେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ପୋଲିସ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସ୍ ଦିଲ୍ଲୀସ୍ଥିତ ଲୁଥ୍ରାଙ୍କ ବାସଭବନ ଉପରେ ଚଢ଼ାଉ ମଧ୍ୟ କରିଥିଲା।
ଘଟଣାରେ କ୍ଲବ୍ ଜେନେରାଲ ମ୍ୟାନେଜରଙ୍କ ସମେତ ଚାରି ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ଏହା ସହିତ ପୁଲିସ ଲୁଥ୍ରା ଭାଇ- ଗୌରବ ଓ ସୌରଭ ଲୁଥ୍ରାଙ୍କ ବିରୋଧରେ ଓ୍ବାରେଣ୍ଟ ଓ ଲୁକଆଉଟ ସର୍କୁଲାର ଜାରି କରିଥିଲା । କିନ୍ତୁ ସେମାନେ ଇଣ୍ଡିଗୋ ବିମାନରେ ଥାଇଲାଣ୍ଡ ଫେରାର ହୋଇଯାଇଛନ୍ତି।
ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ରାତିରେ ହିଁ ଗୌରବ ଓ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ,”ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମାଧ୍ୟମରେ ଇଣ୍ଟରପୋଲ୍ ସହାୟତା ନେବାକୁ ପଦକ୍ଷେପ ନେଇଛି” ।
ଡିସେମ୍ବର ୭ ସକାଳ ୫ଟା ୩୦ରେ ଲୁଥ୍ରା ଭ୍ରାତା ଦିଲ୍ଲୀରୁ ଫୁକେତ୍କୁ ଇଣ୍ଡିଗୋ ବିମାନ ନମ୍ବର (୬ଇ୧୦୭୩)ରେ ପଳାଇଛନ୍ତି ବୋଲି ସୂଚନା ରହିଛି । ପୁଲିସ ସେମାନଙ୍କୁ ଗିରଫ କରିବାକୁ ତାଙ୍କ ବାସ ଭବନରେ ଯେତେବେଳେ ପହଞ୍ଚିଥିଲା ସେମାନଙ୍କୁ ସେଠାରେ ପାଇଁ ନଥିଲା | ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍ କରି ସୌରଭ ଲୁଥ୍ରା ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ମ୍ୟାନେଜମେଣ୍ଟ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ଏବଂ ସମର୍ଥନ ପ୍ରଦାନ କରିବ।
ସୂଚନା ଅନୁସାରେ, ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିବା ଅନ୍ୟ ଏକ କ୍ଲବ୍ ବେଆଇନ ଭାବେ ନିର୍ମାଣ ହୋଇଛି। କୌଣସି ଅଗ୍ନି ନିର୍ବିପାକ ସୁରକ୍ଷା କିମ୍ବା ଅନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଗୋଆର ଭ୍ୟାଗେଟର ବିଚ୍ରେ ଏହି କ୍ଲବ୍ଟି ଅବସ୍ଥିତ ଏବଂ ଏହା ଏକ ସରକାରୀ ଜମିରେ ନିର୍ମାଣ ହୋଇଛି। ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋଷ୍ଟାଲ ଜୋନ୍ ରେଗୁଲେଟୋରି ବୋର୍ଡ ଏବଂ ଟାଉନ ଆଣ୍ଡ କଣ୍ଟ୍ରି ପ୍ଲାନିଂ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ସାମାଜିକ କର୍ମୀ ରବି ହରମଲକର ମଧ୍ୟ ଲୁଥ୍ରା ବ୍ରଦର୍ସଙ୍କଠାରୁ ଧମକ ପାଇଛନ୍ତି। ଶେଷରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ କ୍ଲବ୍ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ବେଆଇନ ଭାବେ ଏହି କ୍ଲବ୍ ଏବେ ପର୍ଯ୍ୟନ୍ତ ଚାଲୁଥିଲା |

