ଭାରତ-ଚୀନ୍ ସୀମାରେ ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ଖସିଲା ଟ୍ରକ୍, ୧୭ ଶ୍ରମିକଙ୍କ ମୃତ୍ୟୁ
ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ନିକଟବର୍ତ୍ତୀ ସୀମା ଅଞ୍ଚଳରେ ଆସାମର ତିନସୁକିଆ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସିପଡିବାରୁ ଅନେକଙ୍କର ମୃତ୍ୟୁ ହୋଇଛି | ଘଟଣା ସମୟରେ ଟ୍ରକରେ ୨୧ ଜଣ ଶ୍ରମିକ ରହିଥିଲେ | ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି | କିନ୍ତୁ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ ଆହୁରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅରୁଣାଚଳର ହାୟୁଲିଆଙ୍ଗ-ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡିଥିଲା ।
ସୂଚନା ଅନୁସାରେ ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ଭୟାନକ ଦୁର୍ଘଟଣା ଘଟିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ମୁକାବିଲା ଦଳ ପହଞ୍ଚି ଜୀବିତମାନଙ୍କୁ ଖୋଜିବା ସହ ବାକି ମୃତଦେହ ଗୁଡିକୁ ଉଦ୍ଧାର କରୁଛନ୍ତି ।

