Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରୁରୀକାଳୀନ ଅବତରଣ ବେଳେ ଜଳିଗଲା ବିମାନ; ଘଟଣାରେ ୭ ମୃତ

ନୂଆଦିଲ୍ଲୀ,୧୬|୧୨: ମେକ୍ସିକୋରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣା ଘଟିବା ପରେ ବିମାନ ସେବା ଅଧିକାରୀ ମାନେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସୂଚନା ରହିଛି |

ସୂଚନା ଅନୁସାରେ, ସାନ ମାଟେଓ ଆଟେନକୋରେ ଏହି ବିମାନ ଦୁର୍ଘଟଣା ଘଟିଥିଲା, ଯାହା ଟୋଲୁକା ବିମାନବନ୍ଦରରୁ ପ୍ରାୟ ପାଞ୍ଚ କିଲୋମିଟର ହୋଇଥିବା ବେଳେ ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଶିଳ୍ପାଞ୍ଚଳ । ବିମାନଟି ଅକାପୁଲକୋରୁ ଉଡ଼ାଣ କରୁଥିଲା ବୋଲି ସୂଚନା ମିଳିଛି |

ରିପୋର୍ଟ ମୁତାବକ, ବିମାନରେ କିଛି ସମସ୍ୟା ଦେଖାଦେବାରୁ ପାଇଲଟ ତାହାର ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିଲେ | ସୂଚନା ମୁତାବକ ନିକଟସ୍ଥ ଏକ ଫୁଟବଲ୍ ପଡ଼ିଆରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହା ନିକଟସ୍ଥ ଏକ କୋଠାରେ ଲାଗିଥିବା ଲୁହା ଛାତ ସହିତ ସଂସ୍ପର୍ଶରେ ଆସି ଧକ୍କା ହୋଇଥିଲା। ଧକ୍କା ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ଫଳରେ ଭିତରେ ବସିଥିବା ୭ଜଣଙ୍କର ମୃତ୍ୟୁ ଘଟିଥିଲା |

ସୂଚନା ଅନୁସାରେ, ସେହି ଘରୋଇ ବିମାନରେ ମୋଟ ୮ଜଣ ଯାତ୍ରୀଙ୍କ ସମେତ ଦୁଇ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ଦୁର୍ଘଟଣା ଘଟିବାର କିଛି ଘଣ୍ଟା ପରେ ମାତ୍ର ସାତଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବାକି ମାନଙ୍କ ସନ୍ଧାନ ଜାରି ରହିଛି |

ତେବେ ବିମାନ ଦୁର୍ଘଟଣା ହେବା ପରର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ବିମାନ ଜଳିବାର ଓ କଳା ଧୁଆଁ ବାହାରୁଥିବାର ଦେଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ