ଟ୍ରାଫିକ୍ କଣ୍ଟ୍ରୋଲ୍କୁ ପାଇଲଟ୍ଙ୍କ ଗୁରୁତ୍ୱପୂର୍ଣ୍ଣ ମେସେଜ୍; ବିମାନ ସାମ୍ନାରେ ୟୁଏଫ୍ଓ
ନୂଆଦିଲ୍ଲୀ,୨୩।୧୨: ଆମେରିକାର ରୋଡ୍ ଆଇଲାଣ୍ଡ୍ ଆକାଶରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ପାଇଲଟ୍ ଓ ଏଟିସିର କଲ୍ ରେକର୍ଡିଂରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ ୟୁଏଫ୍ କିମ୍ବା ରହସ୍ୟମୟ ବସ୍ତୁ ଘୁରି ବୁଲୁଥିବା ବିଷୟରେ ସୂଚନା ଦେଇଛନ୍ତି । ଏଟିସି ପ୍ରସାରଣର ଲାଇଭ୍ ଭିଡିଓରେ ଏହି ଦୃଶ୍ୟ କଏଦ ହୋଇଛି, ଯେଉଁଥିରେ ପାଇଲଟ୍ ଗ୍ରାଉଣ୍ଡ୍ ଟିମ୍କୁ କହିଛନ୍ତି କି ଆମକୁ ଲାଗୁଛି କୌଣସି ରହସ୍ୟମୟୀ ବସ୍ତୁ ଆମ ବିମାନ ସାମ୍ନାରେ କିଛି ଦୂରରେ ଘୁରିବୁଲୁଛି।
ତେବେ ଏହାକୁ କୌଣସି ଏକ ରହସ୍ୟମୟୀ ବସ୍ତୁ ଭାବେ ବିବେଚନା କରାଯାଉଛି। ପାଇଲଟ୍ ସାମ୍ନାକୁ ଏହି ଅଦ୍ଭୁତ ଘଟଣା ଆସିବା ପରେ ସେ ଏଟିସିକୁ ପଚାରିଥିଲେ, ଏଭଳି କୌଣସି ଅଜବ ଛୋଟ ବସ୍ତୁ ସମ୍ପର୍କିତ ଆପଣଙ୍କ ପାଖରେ କିଛି ତଥ୍ୟ ରହିଛି କି? ପରେ ଏଟିସି ଏ ବିଷୟରେ ସ୍ପଷ୍ଟ କରି କହିଛି ଯେ, ଏ କ୍ଷେତ୍ରରେ ଏଭଳି କୌଣସି ଅନ୍ୟ ବସ୍ତୁ ଉଡ଼ିବାର ରିପୋର୍ଟ ଆମ ପାଖରେ ନାହିଁ । ଏଟିସି ପାଇଲଟ୍ଙ୍କୁ ଆହୁରି ପଚାରିଛି ଯେ, ବସ୍ତୁଟି ଡ୍ରୋନ୍ ବା ବେଲୁନ୍ ସଦୃଶ ଦେଖାଯାଉଛି କି? ତେବେ ନିୟମିତ ଏଟିସି ଫ୍ରିକ୍ୱେନ୍ସି ବାର୍ତ୍ତା ପୋଷ୍ଟ୍ କରୁଥିବା ଭିଏଏସ୍ଏଭିଏସନ୍ ଚ୍ୟାନେଲ୍ ଦ୍ୱାରା ୟୁଟ୍ୟୁବ୍ରେ ଏହି ରେକର୍ଡିଂ ଶେୟାର କରାଯାଇଥିଲା ।
ପାଇପର୍ ପିଏ୩୨ଆର୍ଟି-୩୦୦ଟି ଟର୍ବୋ ଲାନ୍ସ-୨ ବିମାନ ଉଡ଼ାଉଥିବା ପାଇଲଟ୍ କହିଛନ୍ତି ଯେ, ଆମେ ଏବେ ପ୍ରାୟ ୩,୫୦୦ ଫୁଟ ଉଚ୍ଚରେ ଅଛୁ । ଏହା ଆମ ୱିଙ୍ଗ୍ଟିପ୍ର ଅତି ନିକଟ ଦେଇ ଗତି କରିଛି । ଏବଂ ଏହା ଏକ ଛୋଟ ରୁପାର ଡବା ସଦୃଶ ଦେଖାଯାଉଛି। କିନ୍ତୁ ବେଲୁନ୍ ସଦୃଶ ନ ଥିଲା ବୋଲି ପାଇଲଟ ଏଟିସି ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ସ୍ପଷ୍ଟ ସୂଚନା ଦେଇ କହିଛନ୍ତି। ତେବେ ଏହି ଘଟଣାର କିଛି ସତ୍ୟତା ରହିଛି ବୋଲି ଅନ୍ୟ ପାଇଲଟ୍ ରେଡିଓରେ ପ୍ରତିକ୍ରିୟା ଦେଇଛନ୍ତି। ଏହା ଭୟଙ୍କର ବୋଲି ଗ୍ରାଉଣ୍ଡ୍ ଟିମ୍ ଏକ ଛୋଟ ଭିଡିଓ ମାଧ୍ୟମରେ ଜବାବ ଦେବା ପରେ ଏଟିସିର ଅନ୍ୟ ଜଣେ ଅପରେଟିଭ୍, ଏଲିଅନ୍ଙ୍କ ସହ ସାକ୍ଷାତ ପାଇଁ ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

