Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ନିଯୁକ୍ତି ନାଁରେ ପଶ୍ଚିମବଙ୍ଗର ଠକ ସଂସ୍ଥାର ଉଦ୍ୟମ ଫସର ଫାଟିଲା ୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି

ପାରଳାଖେମୁଣ୍ଡି:୨୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ଚାକିରୀ ଆଉ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲ ମାଧ୍ୟମରେ କିପରି ହଜାର ହଜାର ଟଙ୍କା ଅର୍ଜନ କରିବେ ଏପରି କିଛି ପ୍ରୋଲଭନ ଦେଖାଇ ଠକିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ପଶ୍ଚିମବଙ୍ଗର ଏକ ଠକ ସଂସ୍ଥାର ୩ ଠକ ମାନଙ୍କୁ ପାରଳା ପୋଲିସ ଉଠାଇ ନେଇଛି. ସେମାନଙ୍କୁ ଅଟକ ରଖି ସମସ୍ତ ଖୋଳତାଡ଼ ଆରମ୍ଭ କରାଯାଇଛି. ପ୍ରାଥମିକ ଭାବେ ସୂଚନା ମିଳିଛି ଏହି ଠକ ସଂସ୍ଥା ଓଡ଼ିଶାର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଆଦି ଅଞ୍ଚଳର ବହୁ ଯୁବକ ଯୁବତୀଙ୍କ ଠାରୁ ଏଭଳି ପ୍ରଲୋଭନ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି l ଏହି ଠକ ସଂସ୍ଥା ଓ ଠକମାନେ ଏତେ ଚାଲକ ଯେ ବିନା ଅନୁମତିରେ ସରକାରୀ ସଭାଗୃହରେ କର୍ମଶାଳାର ଆୟୋଜନ କରି ଶହ ଶହ ଯୁବକ ଯୁବତୀଙ୍କ ଠାରୁ ଠକିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିଗୋଚର ହେବା ପରେ ସମସ୍ତ ତଥ୍ୟ ସାମନାକୁ ଆସିଥିଲା । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଭାଗୃହରେ ପଶ୍ଚିମ ବଙ୍ଗର ସୁହାନା ଟ୍ରଷ୍ଟ / ସୁଇମ ଗ୍ରୁପ ଅଫକମ୍ପାନୀ ନାମକ ଏକ ସଂସ୍ଥା କିଛି ବେକାର ଯୁବକ ଯୁବତୀଙ୍କୁ ନେଇ କର୍ମଶାଳା କରୁଥିବା ଖବର ସାମନାକୁ ଆସିଥିଲା । ଉକ୍ତ ସଂସ୍ଥା ଉକ୍ତ ଯୁବକ ଯୁବତୀ ଙ୍କୁ ଋଣ କରାଇବା, ଚାକିରୀ ଦେବା ଏବଂ ଘରେ ବସି ମାସିକ ହଜାର ହଜାର ଟଙ୍କା କିପରି ରୋଜଗାର କରିବେ ସେନେଇ ଡିଜିଟାଲ କର୍ମଶାଳା କରିଥିଲା । ସଂସ୍ଥାର ତିନି ଅଧିକାରୀଙ୍କ ସମେତ କିଛି ଯୁବତୀ ମାନେ ମଞ୍ଚାସୀନ ହୋଇ ପ୍ରଲୋଭନ ସମ୍ପର୍କିତ ଲମ୍ବା ଭାଷଣ ମଧ୍ୟ ଦେଇଚାଲିଥିଲେ । ତେବେ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ତଥ୍ୟ ସଂଗ୍ରହ କଲାବେଳେ ଶତାଧିକ ଯୁବକ ଯୁବତୀମାନେ ସଂସ୍ଥା ପକ୍ଷରୁ ୨୫୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନେଇଥିବା ପ୍ରକାଶ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଏପରି ଏକ କର୍ମଶାଳା ହେଉଥିବା ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ତ୍ରିନାଥ ସାହୁ ପହଞ୍ଚି ତଦନ୍ତ କରି ସ୍ଥାନୀୟ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ସୂଚନା ଦେଇ ଥିଲେ। ଏହାପରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଠକ ସଂସ୍ଥାର ତିନି ଜଣ ଅଧିକାରୀଙ୍କୁ ଥାନାକୁ ଆଣି ଅଟକ ରଖିଛି । ତିନି ଜଣ ଅଟକଙ୍କ ମଧ୍ୟରେ ସମ୍ବଲପୁରର ରବିରତନ ସିଂ ଏବଂ ଅନ୍ତର୍ଯ୍ୟାମୀ ବାଗ ଏବଂ ଅନ୍ୟ ଜଣେ ଗଜପତି ଜିଲ୍ଲା ଲାଇଲାଇ ଅଞ୍ଚଳର ସୋମନାଥ ଭୂୟାଁ ବୋଲି ଜଣାପଡିଛି । ସବୁଠାରୁ ବଡ଼ କଥା ଯେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଭା ଗୃହ ଯାହାକି ଜିଲ୍ଲାପରିଷଦ ଅନ୍ତର୍ଗତରେ ପରିଚାଳିତ ହେଉଛି ଏପରି ସ୍ଥଳେ ଏମାନଙ୍କୁ କିଏ ଅନୁମତି ଦେଲା । ନା ଏମାନେ ଜୋରଜବରଦସ୍ତି ଭାବେ ପଶିଥିଲେ ସେନେଇ ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥିବୀରାଜ ମଣ୍ଡଳଙ୍କୁ ପଚାରିବାରେ କହିଛନ୍ତି ଯେ ଗତ କିଛି ଦିନ ପୂର୍ବରୁ ସଭାଗୃହ ବ୍ୟବହାର ପାଇଁ ଏକ ଲିଖିତ ଭାବେ ଅନୁମତି ପତ୍ର ଦେଇଥିଲେ ମଧ୍ୟ ଖାରଜ କରାଯାଇଥିବାର ଜଣାଇଛନ୍ତି । ଏବାବଦରେ ସେମାନଙ୍କ ଠାରୁ କୌଣସି ସଭାଗୃହ ବାବଦରେ ଭଡା ମଧ୍ୟ ନିଆଯାଇନଥିବାର ମଧ୍ୟ ପ୍ରକାଶ କରିଛନ୍ତି ଅନ୍ୟପକ୍ଷରେ ସୁହାନା ଟ୍ରଷ୍ଟ / ସୁଇମ ଗ୍ରୁପ ଅଫକମ୍ପାନୀ ପଶ୍ଚିମ ଓଡିଶାର ସମ୍ବଲପୁର, ସୋନପୁର ଓ ବଲାଙ୍ଗିରରେ ମଧ୍ୟ ଏପରି ବେକାର ଯୁବକ ଯୁବତୀଙ୍କୁ ଠକିଥିବାର ଆଲୋଚନା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories