Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ।

ପାରଳାଖେମୁଣ୍ଡି:୨୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ ୟ)ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଅନ୍ତର୍ଗତ ଗଜପତି ଶାଖା ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ନାରାୟଣ ନାୟକ, ରାଜ୍ୟ ସହ ସଂପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କ ମଞ୍ଚ ଆବାହନ କରିଥିବା ବେଳେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ସାହିତ୍ୟ, ସଂସ୍କୃତି ଓ ବୀରତ୍ବରେ ପାରଳାର ଅଗ୍ରପଥିକତ୍ବ ଗାଥା ବର୍ଣ୍ଣନା କରିଥିଲେ। ସେହିପରି ପାରଳାର ପଣ୍ଡିତ ଗୋପୀନାଥ ନନ୍ଦ ପ୍ରଥମ ଶବ୍ଦକୋଷ ଅଭିଧାନ ଲେଖି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ପ୍ରକାଶ କରିଥିଲେ। ରୀତି ଯୁଗୀୟ ଶ୍ରେଷ୍ଠ କବି କବି କଳହଂସଙ୍କ ପଦ୍ୟାବଳୀ ଘରେ ଘରେ ପରିଚିତ ହେବା ସହ ବର୍ତ୍ତମାନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଉଥିବା ପାରଳା ପାଇଁ ଗୌରବ ଆଣିଦେଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ନାରାୟଣ ନାୟକ ନିଜ ବକ୍ତବ୍ୟରେ ଆମେ ସମସ୍ତେ ନିଜ ଭିତରେ ଥିବା ଭେଦଭାବ ଭୁଲି ଏକ ହୋଇ ଦେଶ ମାତୃକାର ସେବା କରିବା ସହ ଇଂରାଜୀ ଭାଷାକୁ ଗୁରୁତ୍ୱ ନ ଦେଇ ନିଜ ମାତୃଭାଷାର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଥିଲେ। ଶ୍ରୀ ରାମକୃଷ୍ଣ ତ୍ରିପାଠୀ ମହୋଦୟ ନିଜ ଅଭିଭାଷଣରେ ଆତ୍ମବୋଧ ସେ ବିଶ୍ୱବୋଧ ବିଷୟରେ ମାର୍ଗଦର୍ଶନ କରିଥିଲେ। ଯୁବ ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ ରଘୁନାଥ ଓଝା ପାରଳାର ଭାଷା, ସଂସ୍କୃତି, ସାହିତ୍ୟ ଓ ଦେଶ ସ୍ବାଧୀନତାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସମେତ ବୀର ପାଇକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ନିଜ ଅଭିଭାଷଣରେ ରାଷ୍ଟ୍ର ଗଠନରେ ସମସ୍ତଙ୍କର ସହଭାଗିତାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ। ସେହିପରି ବନ୍ଦେ ମାତରଂ ଗୀତର ୧୫୦ ବର୍ଷ ପାଳନ ଅବସରରେ ସ୍ୱର୍ଗତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସ୍ମରଣ କରିବା ସହ ବିଦ୍ୟାଳୟ ତଥା ସମସ୍ତେ ଏକାଠି ଗାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା ଏବଂ ସଭା ସାଙ୍ଗ କରାଗଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।