୧୩୦୦ କୋଟି ପାଇଁ ରାଜସ୍ବ ଆଦାୟ ପାଇଁ ସରକାରଙ୍କ ଅଭିନଵ ଉପାୟ; ରଚିଲେ ପ୍ରଦୂଷଣ ସାର୍ଟିଫିକେଟର ନାଟକ
ଭୁବନେଶ୍ବର, ୨୯।୧୨: ରାଜସ୍ବ ଭରିବାକୁ ସରକାରଙ୍କ ଅଭିନଵ ଉପାୟ। ରଚିଛନ୍ତି ନିଆରା ନାଟକ। ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟର ପ୍ରାୟ ୩୫ ଲକ୍ଷ ଗାଡ଼ି ଉପରେ ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ରହିଛି। ଆଉ ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ‘ପ୍ରଦୂଷଣ ସାର୍ଟିଫିକେଟ୍’ର ନାଟକ ରଚିଛି। ଏ ସମସ୍ତ ରାଜସ୍ବ ଆଦାୟ ପାଇଁ ବିଭାଗର ଅଧିକାରୀଙ୍କ ମାନଙ୍କ ପାଖରେ ମାର୍ଚ୍ଚ ୩୧ ଟାର୍ଗେଟ୍ ତାରିଖ ରହିଛି। ତେବେ ରାଜସ୍ବ ଆଦାୟ ନେଇ ସରକାର ଏଇ ନାଟକ ରଚିଛନ୍ତି ବୋଲି ସ୍ପଷ୍ଟ ହେବାରେ ଲାଗିଛି। କିଛିଦିନ ହେଲା ସରକାରଙ୍କର ‘ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରୁ ତେଲ ନେବା ମନା’ ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପରିବହନ ବିଭାଗର ଅଧିକାରୀମାନେ ମନ ଇଛା ନିୟମ ତିଆରି କରିବାରେ ଲାଗିଛନ୍ତି ।
ସୂଚନା ମୁତାବକ, ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆସେ। ଏହା ଦ୍ୱାରା ପ୍ରମାଣିତ ହେଉଛି ଯେ, ପିୟୁସି ସାର୍ଟିଫିକେଟ ନଥିଲେ ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତା ପରିବହନ ବିଭାଗର ନାହିଁ। କୌଣସି ମୋଟର ଯାନ ଆଇନରେ ମଧ୍ୟ ଏ ନିୟମ ନାହିଁ। ତେବେ ପରିବହନ ବିଭାଗର ଏହି ଅଜବ ନିୟମ ବିଷୟରେ ଯୋଗାଣ ମନ୍ତ୍ରୀ ଚୁପ ରହିଛନ୍ତି।
ଅନ୍ୟପଟେ ଏସ୍ଟିଏ କର୍ତ୍ତୃପକ୍ଷ ନିୟମ କରିଛନ୍ତି ଯେ, ଯଦି ଗାଡ଼ିରେ ଗ୍ରିନ୍ ଷ୍ଟିକର୍ ଲାଗି ନଥିବ ତାହାଲେ ପେଟ୍ରୋଲ ପମ୍ପ ରୁ ଇନ୍ଧନ ମିଳିବ ନାହିଁ। ତେବେ ଏହି ନିୟମ ଆସନ୍ତା ଫ୍ରେବୃଆରୀରୁ ଲାଗୁ ହେବାକୁ ଥିବା ବେଳେ ପରିବହନ ବିଭାଗ ପାଖରେ ଏ ଗ୍ରୀନ ଷ୍ଟିକର ନାହିଁ। କି ତାହା ବିଷୟରେ ପରିବହନ ବିଭାଗର ଅଧିକାରୀ କେହି କିଛି ବି ଜାଣି ନାହାନ୍ତି। ତେବେ ପ୍ରଶ୍ନ ହେଉଛିକି? ଯଦି ପରିବହନ ବିଭାଗ ପାଖରେ ଗ୍ରୀନ ଷ୍ଟିକର୍ ନାହିଁ ତେବେ ଏଭଳି ନିୟମ ତିଆରି ହେଲା କାହିଁକି? ଗତ କିଛି ଦିନ ତଳେ ପରିବହନ ମନ୍ତ୍ରୀ ଆସନ୍ତା ଫେବ୍ରୁଆରିରୁ ସରକାରଙ୍କ ପକ୍ଷରୁ ଗ୍ରୀନ ଷ୍ଟିକର୍ ଯୋଗାଇ ଦେବା ନେଇ ସୂଚନା ଦେଇଥିଲେ। କିନ୍ତୁ ଲୋକଙ୍କୁ କେମିତି ଆଉ କେବେ ମିଳିବ, ସେ ବାବଦରେ କୌଣସି ସୂଚନା ପରିବହନ ବିଭାଗ ପକ୍ଷରୁ ଦିଆଯାଉ ନାହିଁ। ଏପଟେ ଏବେ ପ୍ରଦୂଷଣ ସାର୍ଟିିଫିକେଟ୍ ବନେଇବାକୁ ସାଧାରଣ ଲୋକ କାମଧନ୍ଦା ଛାଡ଼ି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି। ଏବେ ପିୟୁସି ସାର୍ଟିଫିକେଟ ପାଇଁ ଆଗକୁ ଗ୍ରୀନ ଷ୍ଟିକର୍ ପାଇଁ ପୁଣିଥରେ ଲମ୍ବା ଲାଇନରେ ଛିଡ଼ା ହେବେ। ଏନେଇ ମଧ୍ୟ ପ୍ରଶ୍ନ ଉଠୁଛି?
ଯଦି ପାଖରେ ଗ୍ରିନ୍ ଷ୍ଟିକର୍ ନାହିଁ, ତେଲ ନଦେବାକୁ ନିୟମ ତିଆରି କିଭଳି କଲା ପରିବହନ ବିଭାଗ? ସୂଚନା ଅନୁସାରେ ଯୋଗାଣ ବିଭାଗ ଅଧୀନରେ ପେଟ୍ରୋଲ ପମ୍ପ ଆସୁଛି, ତାହାଲେ ପରିବହନ ବିଭାଗ ମନା କରିବାକୁ କିଏ? ଅନ୍ୟପଟେ ୧୫ ବର୍ଷରୁ କମ୍ କୌଣସି ଗାଡ଼ି ପ୍ରଦୂଷଣ କରୁଥିବା ବିଷୟରେ ସ୍ପଷ୍ଟ ତଥ୍ୟ କାହା ପାଖେ ନାହିଁ।
ତୃତୀୟରେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଯେଉଁ ଯନ୍ତ୍ର ଅଛି, ସେଥିରେ ଗାଡ଼ି ଯାଞ୍ଚ ହେବା ପରେ ତାକୁ ପ୍ରମାଣପତ୍ର ମିଳୁଛି। ଆଉ ଯେଉଁ ଗାଡ଼ିର କୌଣସି ଜରିମାନା ନାହିଁ, ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଫିଟ୍ନେସ୍ ରହିଛି ସେ ଗାଡି ଚାଳକଙ୍କୁ ଆରାମରେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଯିବ। ପ୍ରଦୂଷଣ ସାର୍ଟିଫିକେଟ୍ ଦେଉଥିବା ଏକ ସଂସ୍ଥାର କର୍ମଚାରୀଙ୍କ ସୂଚନା ଅନୁସାରେ, ଆମେ ଅନ୍ଲାଇନ୍ରେ ଗାଡ଼ିର ନମ୍ବର ପ୍ଲେଟ୍ ଫଟୋ ପକାଇଦେଲେ ଗାଡ଼ିର ସମ୍ପୂର୍ଣ୍ଣ ତଥ୍ୟ ଆସିଯାଉଛି ଏବଂ ଜରିମାନା ନଥିଲେ, କାଗଜପତ୍ର ଠିକ୍ ଥିଲେ ସାର୍ଟିଫିକେଟ୍ ସଂଗେ ସଂଗେ ଇସ୍ୟୁ ହୋଇଯାଉଛି। ତେବେ ୧୫ ବର୍ଷରୁ କମ୍ କୌଣସି ଗାଡ଼ିର ପ୍ରମାଣପତ୍ର ପ୍ରଦୂଷଣ ପାଇଁ ବାତିଲ୍ ହେଉନି। ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ସେଗୁଡ଼ିକ ଯଦି ପୁନଃପଞ୍ଜୀକରଣ ହୋଇନି କିମ୍ବା ତାର ଫିଟ୍ନେସ୍ ସାର୍ଟିଫକେଟ୍ ନାହିଁ ତେବେ ପ୍ରଦୂଷଣ ସାର୍ଟିଫକେଟ୍ ବାହାରିବାରେ ସମସ୍ୟା ସୃଷ୍ଟି ହେଉଛି। ସବୁ ଯାନବାହାନ ୱେବ୍ସାଇଟ୍ ଦ୍ୱାରା ଲିଙ୍କ୍ ହୋଇଥିବାରୁ ସରକାର ଯାହା ତଥ୍ୟ ଫିଡିଂ କରୁଛନ୍ତି ସେହି ଅନୁଯାୟୀ ସଫ୍ଟୱେୟାର ତଥ୍ୟ ନେଉଛି। ଯେଉଁଥି ପାଇଁ ଏବେ ୩ ମାସରୁ ଅଧିକ ପୁରୁଣା ଚାଲାଣ ବାକି ଥିବା ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ବାହାରୁନି। ଆମର ଯେଉଁ ମେସିନ୍ ଲାଗିଛି ପ୍ରଦୂଷଣ ସାର୍ଟିଫିକେଟ୍ ଦେବା ପାଇଁ ସେଥିରେ ବ୍ୟବସ୍ଥା ଅଛି। ଗାଡ଼ି ଅଧିକ ପ୍ରଦୂଷଣ କରୁଥିଲେ ତାକୁ କମାଇବା ବ୍ୟବସ୍ଥା ଆମ ପାଖରେ ନାହିଁ।
ତେବେ ସନ୍ଦେହ ସୃଷ୍ଟି ହେଉଛି? ଯଦି ୧୫ ବର୍ଷରୁ କମ୍ କୌଣସି ଗାଡ଼ି ପ୍ରଦୂଷଣ କରୁନାହାନ୍ତି ବୋଲି ସରକାରଙ୍କ ପାଖରେ ତଥ୍ୟ ରହିଛି ତେବେ କାହିଁକି ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ୧୦ ହଜାର ଟଙ୍କା ଚାଲାଣ କଟାଯାଉଛି ? ଯଦି ଏହି ନିୟମରେ କିଛି ତ୍ରୁଟି ରହିଛି ତାହାଲେ କେନ୍ଦ୍ର ସରକାରଙ୍କ ଏହି ନିୟମ ବଦଳାଇବାକୁ କାହିଁକି ରାଜ୍ୟ ସରକାର ପ୍ରସ୍ତାବ ଦେଉନାହାନ୍ତି? ରାଜସ୍ବ ଆଦାୟ ଚକରରେ କାହିଁକି ଲୋକଙ୍କଠାରୁ ପ୍ରତି ୬ ମାସରେ/ବର୍ଷକରେ ବାଇକ୍ ପିଛା ୭୦ ଟଙ୍କା, କାର୍ ପିଛା ୧୨୦ ଟଙ୍କା ଆଦାୟ ହେଉଛି? ତେବେ ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବିଭିନ୍ନ ଇ-ଚାଲାଣ ବାବଦକୁ ପ୍ରାୟ ୧୩୦୦ କୋଟି ବାକି ଥିବାରୁ ଏହାକୁ ଯେ କୌଣସି ଉପାୟରେ ଆଦାୟ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ ଗତ ସେପ୍ଟେମ୍ବର ମାସରେ ୱାନ୍ ଟାଇମ୍ ସେଟେଲମେଣ୍ଟ (ଓଟିଏସ୍) ବ୍ୟବସ୍ଥା ପରିବହନ ବିଭାଗ ଆଣିଥିଲା । କିନ୍ତୁ ବହୁ ଲୋକଙ୍କର ମନଇଚ୍ଛା ଇ-ଚାଲାଣ କଟାଯାଇଥିବାରୁ ସେମାନେ ଜୋରିମାନା ଦେବାକୁ ଅମଙ୍ଗ ହେଉଛନ୍ତି। ତେବେ ଏହି ଉଦ୍ଦେଶ୍ୟରେ ଓଟିଏସ୍ ସଫଳ ହେଉନଥିବା ଦେଖି ବିଭାଗୀୟ ଅଧିକାରୀମାନେ ଏବେ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ସମସ୍ତ ଜୋରିମାନା ଅଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

