BJD Cross Voting Case: ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେବା ଅଭିଯୋଗକୁ ନେଇ ୫ ଜଣ ବିଜେଡି ବିଧାୟକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁର। ଡିସେମ୍ବର ୪ ସୁଦ୍ଧା ନିଜ ପକ୍ଷ ରଖି ଜବାବ ଦାଖଲ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ରେ ହେବ।
ବିଜେଡି ପକ୍ଷରୁ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ହେଲେ ବାଚସ୍ପତି ଏହି ଆବେଦନଗୁଡ଼ିକୁ ଖାରଜ କରିଦେଇଥିଲେ। ଏହାପରେ ବିଜେଡି ପକ୍ଷରୁ ହାଇକୋର୍ଟରେ ୮ଟି ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ସେଥିମଧ୍ୟରୁ ୫ଟି ପିଟିସନ୍ର ଶୁଣାଣି କରି କୋର୍ଟ ସମ୍ପୃକ୍ତ ବିଧାୟକମାନଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏହି ବିବାଦ ଗତ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିଲା। ବିଜେଡିର ଅଭିଯୋଗ ଅନୁସାରେ, ୮ ଜଣ ବିଧାୟକ ଦଳର ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିଲେ। ତେବେ ଏହି ଅଭିଯୋଗ ଉପରେ ହାଇକୋର୍ଟ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ବିଧାୟକମାନଙ୍କ ଜବାବ ଓ ଆଗାମୀ ଶୁଣାଣି ପରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।

