ଇନ୍ଦୋର ଦୂଷିତ ପାଣି ପିଇ ୧୫ ମୃତ; ୧୫ ଶହ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ
ମଧ୍ୟପ୍ରଦେଶ, ୨।୧: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପାନୀୟଜଳରେ ବଡ଼ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଦୂଷିତ ହେବା କାରଣରୁ ଶହ ଶହ ଲୋକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁ ପାଇପ୍ ଲାଇନରୁ ଲୋକ ପାନୀୟ ପାଇଁ ବ୍ୟବହାର କରୁଥିଲେ ସେହି ପାଇପ୍ ଲାଇନ ଭାଗୀରଥପୁର ଅଞ୍ଚଳରେ ଲିକ୍ ହୋଇ ସ୍ବେରେଜ୍ ପାଣି ସହିତ ଯାଇ ମିଶୁଥିଲା । ତେବେ ୮ ବର୍ଷ ଧରି ସାରା ଦେଶରେ ଇନ୍ଦୋର ସ୍ବଚ୍ଛତମ ସହରର ମାନ୍ୟତା ପାଇଥିବା ସତ୍ତ୍ୱେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଦାୟିତ୍ୱହୀନତା ନେଇ ସହରବାସୀଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେହିପରି ନର୍ମଦା ନଦୀରୁ ଇନ୍ଦୋର ସହରକୁ ପନୀୟଜଳ ଆସୁଥିବା ମୁଖ୍ୟ ପାଇପ୍ ଲାଇନ ଉପରେ ଏକ ପାଇଖାନା ନିର୍ମାଣ କରାଯାଇଥିଲା । ସେଥିରୁ ମଧ୍ୟ ଆବର୍ଜନା ପାଣି ଲିକ୍ ହୋଇ ପାଣି ଦୂଷିତ ହୋଇଛି ବୋଲି ଜଣାପଡିଛି। ତେବେ ଏଭଳି ସମସ୍ୟା କାରଣରୁ ଇନ୍ଦୋରରେ ଡାଇରିଆ ବ୍ୟାପିଛି । ଏଥିରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ଓ ୧୫ ଶହ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏବେ ଏହି ପାଇପ୍ ଲାଇନ ପାଣି ବ୍ୟବହାର ନକରିବାକୁ ପୌର ପରିଷଦ ଲୋକଙ୍କୁ ପରାମର୍ଶ ଦେଇଛି । ଲିକ୍ ହୋଇଥିବା ପାଇପ୍ ଲାଇନ୍ ଗୁଡିକ ଯଥାଶୀଘ୍ର ମରାମତି କରାଯାଉଛି ଏବଂ ଟ୍ୟାଙ୍କର ଦ୍ୱାରା ପୌର କର୍ତ୍ତୃପକ୍ଷ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି ।

