ପ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ! ଅଶ୍ଳୀଳ ଓ ଅପରାଧିକ କଣ୍ଟେଣ୍ଟ ପୋଷ୍ଟ କଲେ ସବୁଦିନ ପାଇଁ ବନ୍ଦ ହେବ ଆକାଉଣ୍ଟ
ନୂଆଦିଲ୍ଲୀ,୫|୧: ସୋସିଆଲ ପ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ | ଅଶ୍ଳୀଳ ଓ ବେଆଇନ କଣ୍ଟେଣ୍ଟ ପୋଷ୍ଟ କରିବା ନେଇ ୟୁଜର୍ସଙ୍କୁ କଡା ଚେତାବନୀ | ଏଣିକି ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍କୁ କମ୍ପାନି ପକ୍ଷରୁ ହଟାଇ ଦିଆଯିବ। ତାହା ସହିତ ଯେଉଁମାନେ ଏଭଳି ପୋଷ୍ଟ୍ କରୁଛନ୍ତି, ସେମାନଙ୍କ ଆକାଉଣ୍ଟ ଗୁଡିକୁ ସବୁଦିନ ବନ୍ଦ କରାଯିବ ବୋଲି ‘ଏକ୍ସ’ର ଗ୍ଲୋବାଲ୍ ଗଭର୍ଣ୍ଣମେଣ୍ଟ୍ ଆଫେୟାର୍ସ ଆକାଉଣ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି |
ତେବେ କମ୍ପାନିର ମାଲିକ ଏଲନ ମସ୍କ ମଧ୍ୟ ଏହି ବିଷୟ ଉପରେ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ଗତ କିଛି ଦିନ ହେଲା ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଏଆଇ ଟୁଲ୍ ଗ୍ରୋକ୍କୁ ବ୍ୟବହାର କରି ମହିଳା ଓ ଶିଶୁମାନଙ୍କ ଇମେଜକୁ ବିକୃତ ଓ ଅଶ୍ଳୀଳ କରି ପୋଷ୍ଟ କରାଯାଉଥିଲା । କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’କୁ ଏହି ସଙ୍ଗୀନ ବିଷୟକୁ ନେଇ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ଏବଂ ୭୨ ଘଣ୍ଟା ସମୟସୀମା ମଧ୍ୟରେ ଆକ୍ସନ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଏହାପରେ କମ୍ପାନୀ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି | ‘ଏକ୍ସ’ ପକ୍ଷରୁ ବେଆଇନ କଣ୍ଟେଣ୍ଟ୍ ପୋଷ୍ଟ କରୁଥିବା ବ୍ୟବହାରକାରୀ ମାନଙ୍କ ଆକାଉଣ୍ଟ୍ ବନ୍ଦ କରିବା ଚେତାବନୀ ମଧ୍ୟ ଦିଆଯାଇଛି ।
ଏହି ନୂତନ ନୀୟମ ଅନୁସାରେ, ଯେଉଁ ବ୍ୟବହାରକାରୀ ମାନେ ‘ଏକ୍ସ’ର ନିୟମାବଳୀ ଉଲ୍ଲଂଘନ କରିବେ କିମ୍ବା ଲଗାତାର ଭାବେ ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ, ସେମାନଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ପୂର୍ବରୁ ନିୟମ ଅନୁସାରେ,କିଛି କେସରେ ଆକାଉଣ୍ଟ ଗୁଡିକୁ କିଛି ଦିନ ପାଇଁ ସସପେଣ୍ଡ କରାଯାଉଥିଲା, କିନ୍ତୁ ଏବେ ‘ଏକ୍ସ’ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି। ବେଆଇନ କାର୍ଯ୍ୟକଳାପକୁ ରୋକିବାକୁ ନେଇ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ କିନ୍ତୁ ଅନେକ ବିଶେଷଜ୍ଞ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା ଅନୁସାରେ, “ବେଆଇନ ବିଷୟବସ୍ତୁ”ର ସଂଜ୍ଞା ବିଭିନ୍ନ ଦେଶରେ ଅଲଗା ଅଲଗା ରହିଥିଲା ବେଳେ ଏହାକୁ ‘ଏକ୍ସ’ କିଭଳି ଭାବରେ ବିଶ୍ୱସ୍ତରରେ ଏହାକୁ ସମାନ ଭାବରେ ଲାଗୁ କରିବ? ଏହା ‘ଏକ୍ସ’ ପାଇଁ ଆହ୍ୱାନମୂଳକ ହେବ।

